ପରୋପକାର ବିଷୟରେ ଜଣେ ସାଧୁ ପ୍ରବଚନ ଦେଲା ପରେ, ଲୋକଟି ସାଧୁଙ୍କୁ କହିଲେ-ଆଜ୍ଞା, ଆପଣ କହୁଛନ୍ତି ପରୋପକାର କରିବା ଭଲ କିନ୍ତୁ ମୋ ମତରେ ଆଜିକାଲି ଦୁନିଆରେ ପରୋପକାର କରିବାର ମୂଲ୍ୟ କିଛି ନାହିଁ। ସାଧୁ ପଚାରିଲେ-ଏପରି ମନ୍ତବ୍ୟ ଦେବାର କାରଣ କ’ଣ ? ଲୋକଟି କହିଲା-ଆମ ଗାଁରେ ଜଣେ ଲୋକ ଯିଏକି ସ୍ୱଭାବରେ ଭଲ ନୁହେଁ। କିଛିଦିନ ତଳେ ତା’ ସ୍ତ୍ରୀର ଦେହ ଖରାପ ହେଲା, ମୁଁ ଟଙ୍କା ଦେଇ ସାହାଯ୍ୟ କରିବାରୁ ତା’ ସ୍ତ୍ରୀ ଭଲ ହେଲା। କିନ୍ତୁ ଏପରି ପରୋପକାର କରି କିଛି ଲାଭ ନାହିଁ। କାରଣ ମୁଁ ସାହାଯ୍ୟ କରିଥିବା ବିଷୟ ସେ କାହାକୁ କହିଲା ନାହିଁ ବରଂ ମୋ ବିରୋଧରେ ଅନେକ ପ୍ରକାର କଥା ଗାଇ ବୁଲୁଛି। ସାଧୁ କହିଲେ- ପରୋପକାର ବିଷୟରେ ତୁମର ଭୁଲ୍ ଧାରଣା ଅଛି। ଯେଉଁ ପରୋପକାର କରିଛ ବୋଲି କହୁଛ ମୋତେ ଲାଗୁଛି ତୁମେ ସେଭଳି କିଛି କରିନାହଁ କାରଣ ତୁମେ ତା’କୁ ସାହାଯ୍ୟ କରି ତାର ସ୍ତ୍ରୀର ପ୍ରାଣରକ୍ଷା କରିଥିବା ଜନିତ ଅହଙ୍କାରର ପରିଚୟ ଦେଉଛ। ତୁମେ ସାହାଯ୍ୟ କରିବାର ଉଦେଶ୍ୟ ଥିଲା, ତୁମ ନାମ ଚାରିଆଡେ ପ୍ରଚାର ହେଉ ଯେ ତୁମେ ଜଣେ ବଡ ଦାନୀ ଓ ପରୋପକାରୀ ବୋଲି, ଯାହା ସେ ଲୋକ କରି ନାହିଁ। ତୁମେ ତାକୁ ସାହାଯ୍ୟ କରି ନିଜକୁ ଜଣେ ମହାନ ଲୋକ ବୋଲି ପ୍ରଦର୍ଶିତ କରିବାର ଚେଷ୍ଟା କରୁଛ। ତୁମେ ଯଦି ତୁମର ଦୋଷଟି କ’ଣ ଜାଣିପାରିଥାନ୍ତ ତେବେ ତାର ଦୋଷ ଅଛି ବୋଲି କହିନଥାନ୍ତ କି ପରୋପକାର କରିବା ଭଲ ନୁହେଁ ବୋଲି ମନ୍ତବ୍ୟ ଦେଇନଥାନ୍ତ। “ପରୋପକାରାୟ ସ୍ୱର୍ଗାୟ” ଆଦର୍ଶରେ ବ୍ରତୀ ହେବା ଭଲ। ପରୋପକାର କଲେ ଯେଉଁ ଆନନ୍ଦ ମିଳିଥାଏ, ତୁମେ କେବେ ଅନୁଭବ କରି ନାହଁ। ତୁମର ମନ, ଚିନ୍ତା ଓ ଚେତନା ଯଦି ଭଲ ହୋଇଥାନ୍ତା ତୁମେ ପରୋପକାର କଲାପରେ ସେ ଲୋକଟିର ଦୋଷ ଦେଖିନଥାନ୍ତ।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା