ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଳାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ଜିଲ୍ଲାବାସୀ ଉଦ୍ବେଗ ପ୍ରକଟ ନକରିବାକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ କହିଛନ୍ତି । ପୂର୍ବରୁ ଟେଷ୍ଟ ସଂଖ୍ୟା କମ୍ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଥିଲା । ଏବେ ପ୍ରତିଦିନ ପାଖାପାଖି ୧୮ଶହ ଜଣଙ୍କ ନମୁନା ପରୀକ୍ଷା ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ତେବେ ଆକ୍ରାନ୍ତମାନେ ବହୁ ପରିମାଣରେ ନିଜସ୍ୱ ଘରେ ହୋମ୍ ଆଇସୋଲେସନରେ ରହୁଛନ୍ତି । ଆଜି ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ କୋଭିଡ଼ କେୟାର ସେଣ୍ଟରରେ ମୋଟ ୧୯୪ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଚିକିତ୍ସାଳୟରେ ୭୫ଜଣ, ଭଦ୍ରକ କଲେଜ ସ୍ଥିତ ଡେଡିକେଟେଡ କୋଭିଡ଼ ହେଲ୍ଥ ସେଣ୍ଟରରେ ୬୯ଜଣ, ଓଲଙ୍ଗ କୋଭିଡ଼ କେୟାର ସେଣ୍ଟରରେ ୩୪ଜଣ, ତିହିଡି କୋଭିଡ଼ କେୟାର ସେଣ୍ଟରରେ ୧୬ଜଣ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୩୪ଜଣଙ୍କର ଅକ୍ସିଜେନର ଆବଶ୍ୟକତା ଥିବାରୁ ସେମାନଙ୍କୁ ଅକ୍ସିଜେନ ଯୋଗାଣ ହୋଇଛି । ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣରେ ରହିଥିବା ବେଳେ ୮ଟି ଭେଣ୍ଟିଲେଟର ଶଯ୍ୟା ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଅନ୍ୟ ପକ୍ଷରେ ସଂକ୍ରମଣ ଅଧିକ ହେଲେ ଚିକିତ୍ସା ପାଇଁ ଆଗରପଡା ଓ ଭଣ୍ଡାରିପୋଖରୀ ଠାରେ କୋଭିଡ଼ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖାଯାଇଛି । ଆଜି ଜିଲ୍ଲାପାଳ ଡ. ଦାସ ଏହି ସେଣ୍ଟର ବୁଲି ଆନୁସଙ୍ଗିକ ପ୍ରସ୍ତୁତିର ତଦାରଖ କରିଛନ୍ତି । ଯେଉଁସବୁ ଅଞ୍ଚଳରେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ବାହାରୁଛି ସେ ସବୁ ଅଞ୍ଚଳର ସରପଞ୍ଚ ମାନଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି । କୌଣସି ପ୍ରକାର ଅକ୍ସିଜେନର ଅଭାବ ନାହିଁ ବୋଲି ଜିଲ୍ଳାପାଳ କହିଛନ୍ତି ।