କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ପାଟକୁରା ଥାନା ଅନ୍ତର୍ଗତ ବାରତୁଙ୍ଗା ଗ୍ରାମର ମହେଶ୍ୱର ବେହେରା ଓ ସର୍ବେଶ୍ୱର ବେହେରାଙ୍କ ପରିବାରକୁ କେତେକ ମୁଷ୍ଟିମେୟ ଲୋକ ଏକ ଘରିକିଆ କରିଦେଇ ନିଆଁ ପାଣି ବାସନ୍ଦ କରିଦେଇଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରୀ ସେଠୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସେଠୀ ସେହି ଅଭିଯୋଗ ଉପରେ ପାଟକୁରା ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଭିଯୋଗକାରୀ ସପରିବାର ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ଆସିଥିଲେ। କିନ୍ତୁ କରୋନା ଜନିତ କାରଣରୁ ସେମାନେ ଅନଶନ କରିପାରିନଥିଲେ। ସେମାନଙ୍କୁ ନିକଟସ୍ଥ କେନ୍ଦ୍ରାପଡା ଏସଡିପିଓଙ୍କ ନିକଟକୁ ପଠାଇଦିଆଯାଇଥିଲା। ଏସଡିପିଓ ରାଜୀବଲୋଚନ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ପାଟକୁରା ଥାନାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ ବାରତୁଙ୍ଗା ମୈାଜାର ୪୯ନମ୍ବର ଖାତା ଓ ପ୍ଲଟ ନମ୍ବର ୬୦ ଏରିଆ ଏ୦-୦୫୦ଡିସିମିଲି ଓ ସେହି ଖାତାର ୬୧ନମ୍ବର ପ୍ଲଟ ଏରିଆ ଏ୦-୦୬୦ ଡିସିମିଲି ଘରବାରୀ ଜମି ଉପରେ ଏବଂ ଇଜିମାଇଲି ରାସ୍ତା ଉପରେ ଜୋରଜବରଦସ୍ତ ଘରତିଆରି କରିବା ପ୍ରତିବାଦରେ ଗତ ୨୦୧୭ମସିହା ଡିସେମ୍ବରମାସ ୧୪ତାରିଖରେ କେନ୍ଦ୍ରାପଡା ସିଭିଲଜଜଙ୍କ କୋର୍ଟରେ ମହେଶ୍ୱର ବେହେରା ଓ ସର୍ବେଶ୍ୱର ବେହେରା ବଂଟନ ମୋକଦ୍ଦମା ମୁରଲୀଧର ବେହେରା ଓ ଖଗେଶ୍ୱର ବେହେରାଙ୍କ ନାମରେ ୪୩୭ନମ୍ବର ସିଭିଲ ସୁଟ ଦାୟର କରିଥିଲେ। ଏହି କେଶରେ କୋର୍ଟ ନିଷେଧାଜ୍ଞା ଜାରି କରିଥିଲେ ମଧ୍ୟ ସେମାନେ ତାକୁ ନମାନିବାରେ ଅଭିଯୋଗକାରୀ କୋର୍ଟରେ ହୁକୁମ ଅମାନ୍ୟ ମୋକଦ୍ଦମା ମଧ୍ୟ ଦାୟର କରିଥିଲେ। ଏହାପରେ ଅପରପକ୍ଷ ଅଭିଯୋଗକାରୀଙ୍କ ବାଡିରେ ଥିବା ସମସ୍ତ ଗଛକୁ କାଟିଦେଇଥିବା ସହିତ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାପରେ ସେମାନେ କେତେକ ଗ୍ରାମର କେତେକ ଖଳପ୍ରକୃତିର ଲୋକଙ୍କ ସହିତ ମିଶି ଅଭିଯୋଗକାରୀ ପରିବାରକୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରିଦେଇଥିବା ଏବଂ ଗ୍ରାମର କୈାଣସି ଲୋକ ସେମାନଙ୍କ ପରିବାରର କୈାଣସି ବ୍ୟକ୍ତିଙ୍କ ସହ କଥା ହେଲେ ୫ହଜାର ଟଙ୍କା ଯୋରିମାନା ସେହି ଲୋକ ଠାରୁ ଆଦାୟ କରାଯିବ ବୋଲି ଗ୍ରାମରେ ଘଂଟ ବାଡେଇ ଲୋକମାନଙ୍କୁ କୁହାଯାଇଛି। ଏଥିସହିତ ଏହି ପରିବାରକୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରାଯାଇଛି। ଏହି ପରିବାରକୁ ଜବକାର୍ଡରେ ଦିନମଜୁରିଆ ଭାବେ କାମକରିବାକୁ ମଧ୍ୟ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଗରୀବ ପରିବାରଟି ନ୍ୟାୟ ପାଇଁ ଏଦୁଆରୁ ସେଦୁଆର ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହି ପରିବାରକୁ ଜୀବନରୁ ମାରିଦେବାକୁ ମଧ୍ୟ ପୂନର୍ବାର ଧମକ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।