ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତ ଅନ୍ତର୍ଗତ ରାଢୋ ଗ୍ରାମରେ ଗତକାଲି ୨୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଞ୍ଚାୟତ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ କରାଯାଇଛି । ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବାରୁ ଏହି ଗ୍ରାମରେ ୩୦ଜଣଙ୍କର ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଶନିବାର ଆଉ ପରୀକ୍ଷା କରାଯାଇ ନଥିଲା । ମାତ୍ର ଗ୍ରାମର ସମସ୍ତ ପ୍ରବେଶ ପଥକୁ ପଞ୍ଚାୟତ ପକ୍ଷରୁ ଅବରୋଧ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କୁ ଗୃହସଙ୍ଗରୋଧରେ ରଖାଯାଇଛି । ମେଡିକାଲ ପକ୍ଷରୁ ଡାକ୍ତର ଦେବଦତ୍ତ ପାଣିଗ୍ରାହୀ ସଂପୃକ୍ତ ଅଞ୍ଚଳର ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କ ସହ ଆକ୍ରାନ୍ତଙ୍କୁ ଔଷଧ ଯୋଗାଇଛନ୍ତି । ସରପଞ୍ଚ ପ୍ରତିନିଧି ବିରେନ୍ଦ୍ର ନାୟକ ଆକ୍ରାନ୍ତଙ୍କ ପାଇଁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଜଣାଯାଇଛି ।