Home ଓଡ଼ିଶା ନୟାଗଡ଼: ୩୧ଟି ପରୀକ୍ଷା କେନ୍ଦ୍ରରେ ୯୩୦୫ଜଣ ଯୁକ୍ତଦୁଇ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

ନୟାଗଡ଼: ୩୧ଟି ପରୀକ୍ଷା କେନ୍ଦ୍ରରେ ୯୩୦୫ଜଣ ଯୁକ୍ତଦୁଇ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

299

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ନୟାଗଡ଼ ଜିଲାରେ ୩ ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ସବୁବର୍ଷଠାରୁ ଚଳିତବର୍ଷ ନିୟମ କଡ଼଼ାକଡ଼ିଭାବେ କରାଯାଇଥିବାବେଳେ କପିମୁକ୍ତ କରିବାପାଇଁ ସିସିଟିଭି ସହ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି।

ଏଥିପାଇଁ ଉପଜିଲାପାଳ ଲଗ୍ନଜିତ୍ ରାଉତଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସବୁ ଯୁକ୍ତ ଦୁଇ ଅଧ୍ୟକ୍ଷମାନଙ୍କୁ ନେଇ ଶାନ୍ତି ଶୃଙ୍ଖଳା ଓ କପିମୁକ୍ତ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ୩୭ଟି ସରକାରୀ ଓ ୮ଟି ସେଲ୍ଫ ଫାଇନାନ୍ସିଙ୍ଗ୍ ଯୁକ୍ତ ଦୁଇ କଲେଜର ୯୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଏଥିପାଇଁ ୩୧ ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି। ୯୩୦୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନରେ ୨୬୭୬, କଳାରେ ୬୪୫୭ ଓ ବାଣିଜ୍ୟରେ ୧୭୭ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ପ୍ରଶ୍ନପତ୍ର ରହିଥିବା ୪ଟି ହବ୍ ଯଥା ନୟାଗଡ଼, ରଣପୁର, ଖଣ୍ଡପଡ଼ା ଓ ଓଡ଼ଗାଁ କଲେଜରୁ ଦାୟିତ୍ୱର ସହ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ଗୁଡ଼ିକ ୯ଟା ୩୦ରେ ସେଂଟର ସୁପରିଟେଂଣ୍ଡେଂଟ ଓ ଡେପୁଟି ସେଂଟର ସୁପରିନ୍‌ଟେଣ୍ଡେଂଟ ଓ ହବ୍ ଅବ୍‌ଜରଭରଙ୍କ ଉପସ୍ଥିତିରେ ଖୋଲାଯିବାପାଇଁ ନିର୍ଦ୍ଦେଶ ରହିଛି। ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଜିଲାପ୍ରଶାସନ ଦାୟିତ୍ୱ ନେଇଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ କଡ଼ାକଡ଼ି ଯାଂଚ କରାଯିବା ଉପରେ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ପରୀକ୍ଷା ୩ତାରିଖରୁ ବିଜ୍ଞାନ ଓ ୪ ତାରିଖରୁ କଳା ଆରମ୍ଭ ହେବାକୁ ଥିବାବେଳେ ୨୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ଏବଂ ସମୁଦାୟ ୨୦ଟି ସିଟିଂରେ ପରୀକ୍ଷା ଶେଷ ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.