ନୟାଗଡ଼, ୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ମୃତ୍ୟୁକୁ ନେଇ ଏବେବି କାରଣ ଅସ୍ପଷ୍ଟ ରହିଛି। ମୃତକ କରୋନାରେ ମୃତ ନା ଆଉ କ’ଣ ବୋଲି କୁହାଯାଉନଥିଲାବେଳେ ଏହା ସାଧାରଣରେ ପ୍ରକାଶ କରାନଯିବା ରହସ୍ୟ କ’ଣ ବୋଲି ଆଲୋଚନା ହେଉଛି। ବିଭିନ୍ନ ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆରେ ନୟାଗଡ଼ ଜିଲାରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଥିଲାବେଳେ ପ୍ରଶାସନ ଏବେ ବି ମୃତକର କାରଣ କାହିଁ ସ୍ପଷ୍ଟ କରୁନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହା କୁହାଯାଉଛି ମୃତକ ଜଣକ ହେଲେ ଜଣେ ଯୁବ ଔଷଧ ଦୋକାନୀ। ନୟାଗଡ଼ ପୌରାଞ୍ଚଳ ଯଦୁମଣିନଗରର ଜଣେ ୪୦ ବର୍ଷୀୟ ପୁରୁଷ ରୋଗୀ। ସେ ନୟାଗଡ଼ର ଜଣେ କରୋନା ସଂକ୍ରମିତ ସୁନା ଅଳଙ୍କାର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏବଂ ନୟାଗଡ଼ର ୧୦ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ରେ ଆକ୍ରାନ୍ତ ହୋଇଥିଲେ। ତେବେ ଗତ ଜୁନ୍ ମାସ ୨୦ ତାରିଖରେ ଔଷଧ ଦୋକାନୀ ପ୍ରଥମେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତା’ପରଦିନ ଅର୍ଥାତ ୨୨ ତାରିଖରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା। ସ୍ୱାବ୍ ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଗତ ୧ତାରିଖରେ ଯୁବ ଔଷଧ ଦୋକାନୀ କରୋନାରେ ମୃତ ବୋଲି ଜଣାପଡ଼ିଥିଲା। ଯେହେତୁ ସେ କରୋନା ପଜିଟିଭ୍ ସଂକ୍ରମଣରେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କର ମୃତ୍ୟୁ ପରେ ଏହା କରୋନା ମୃତ୍ୟୁ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା। ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ଜଣାଇଦିଆଯାଇଥିଲା। ଏପରିକି ଶବ ପରିବାରକୁ ହସ୍ତଗତ କରାନଯାଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶବଦାହ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ଏହାଭିତରେ ମୃତକ ପରିବାରର ଆଉ ୩ଜଣ ମଧ୍ୟ କରୋନା ପଜିଟିଭ ବୋଲି ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁର ୫ଦିନ ବିତିଗଲାଣି, ହେଲେ ଏଯାଏଁ କରୋନା ମୃତ୍ୟୁ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନାହିଁ। ନିଜେ ପୌରପରିଷଦ ନିର୍ବାହୀ ଅଧିକାରୀ ମୃତକଙ୍କ ବିଷୟରେ ମୃତକ ପରିବାରବର୍ଗଙ୍କୁ ସୂଚନା ଦେଇଥିଲାବେଳେ ଏବଂ ତାଙ୍କ ପରିବାରବର୍ଗକୁ ଶବ ହସ୍ତାନ୍ତର କରାନଯାଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶବଦାହ କାର୍ଯ୍ୟ ସମାପନ କରାଯାଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି। ଏବେ ଏହା ଅନେକଙ୍କୁ ଅଡ଼ୁଆରେ ପକାଇଛି। ଏପରିକି ମୃତର କାରଣ ସ୍ପଷ୍ଟ କରିବା ପାଇଁ ତାଙ୍କର ଅନେକ ବନ୍ଧୁ ଦାବି କରିଛନ୍ତି। ତେବେ ଏସମ୍ପର୍କରେ ସରକାରୀ ଭାବେ ଚିଠି ଆସିଲେ ସ୍ପଷ୍ଟ କରିବେ ବୋଲି ଜିଲାପାଳ ଡ ପୋମା ଟୁଡୁ କହିଥିଲେ। ଅନ୍ୟପକ୍ଷରେ ଓଡ଼ଗାଁ ବ୍ଳକ ସୁନାମୁହିଁ ଅଂଚଳର ଜଣେ ବ୍ୟକ୍ତି ଗତ ଜୁନମାସ ୩୦ ତାରିଖରେ ଥଣ୍ଡାଜ୍ୱରରେ ସନ୍ଦେହଜନକ ଭାବେ ମୃତ୍ୟୁ ବରଣ କରିଥିଲାବେଳେ ତାଙ୍କ ପରିବାରରୁ ତାଙ୍କ ପୁଅ, ବାପା, ସ୍ତ୍ରୀ, ଦାଦା, ଖୁଡ଼ି, ଭାଇ, ଭାଇବୋହୁ ଏମିତି ୭ଜଣଙ୍କର କରୋନା ପଜିଟିଭ ବାହାରିଛି। ଯାହାକି ତାଙ୍କ ମୃତ୍ୟୁର କାରଣ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସୁନାମୁହିଁ ଅଂଚଳରୁ ସ୍ଥାନୀୟ ସଂକ୍ରମଣ ବଢୁଥିବା ନେଇ ଏବେ ଭୟର ବାତାବରଣ ଖେଳିଯାଇଛି।