Home ଜିଲ୍ଲା ପରିକ୍ରମା ନେରଡା ଶରତ ଚନ୍ଦ୍ର ସାହୁଙ୍କ ଘରୁ ସଶସ୍ତ୍ର ଡକାୟତି, ଡକାୟତ ଆକ୍ରମଣରେ ୨ ଆହତ, ମାମଲା...

ନେରଡା ଶରତ ଚନ୍ଦ୍ର ସାହୁଙ୍କ ଘରୁ ସଶସ୍ତ୍ର ଡକାୟତି, ଡକାୟତ ଆକ୍ରମଣରେ ୨ ଆହତ, ମାମଲା ଋଜୁ, ଘଟଣାସ୍ଥାଳରେ ପୁଲିସ ବୈଜ୍ଞାନିକ ଅନୁସନ୍ଧାନୀ ଦଳ ଓ ଡଗସ୍ୱାଡ

34

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଠାରୁ ମାତ୍ର ୫ଶହ ମିଟର ଦୂର ନେରଡା(ବେଣୀପୁର) ନର୍ସିଂସ୍କୁଲ ନିକଟରେ ଥିବା ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁଙ୍କ ନିଛାଟିଆ ଘରୁ ମଙ୍ଗଳବାର ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଶରତଙ୍କ ପୁଅ ସୁଶୀଲଙ୍କ ଅଭିଯୋଗ କ୍ରମେ ଥାନାରେ ୫୩/୨୪ନଂ ମାମଲା ଅଜଣା ଦୁର୍ବୁର୍ତ୍ତଙ୍କ ନାମରେ ଋଜୁ ହୋଇଛି । ଅଭିଯୋଗ ଅନୁଯାୟୀ ଡାହାଲା ଜଗନ୍ନାଥ ମନ୍ଦିର ହରିହାଟ ଦେଖିବାକୁ ଶରତ ଯାଇଥିବା ବେଳେ ୨ ପୁଅ ବାହାରେ ରହୁଥିବା ବେଳେ ଘରେ ମହିଳାମାନେ ଓ ବନ୍ଧୁ ସରୋଜ ପଣ୍ଡା, ଶରତଙ୍କ ଶାଳକ ପୁତ୍ର ହେମନ୍ତ ନାୟକ ଥିଲେ । ସନ୍ଧ୍ୟା ୭.୧୫ମି. ସମୟରେ ରାଜପଥରେ ଉପରେ ଧଳା ସ୍କର୍ପିଓରୁ ଓହ୍ଲାଇ ୬ଜଣ ମୁଖାପିନ୍ଧା ଡକାୟତ ହାତରେ ଅସ୍ତ୍ରଶସ୍ତ୍ର ଧରି ଚାଲିଚାଲି ଆସି କବାଟକୁ ଧକ୍କାମାରି ଘରଭିତରକୁ ପ୍ରବେଶ କରିଥିଲେ । ହିନ୍ଦୀ, ଓଡିଆ ଓ ଉର୍ଦ୍ଦୁରେ କଥା ହେଉଥିବା ଡକାୟତମାନେ ଖଣ୍ଡାରେ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଛଡାଇନେଇ ଗୋଟିଏ କୋଠରୀରେ ବନ୍ଦରଖି ଜଗିରହିଥିଲେ । ଅନ୍ୟ ଡକାୟତମାନେ ୩ଟି ଆଲମିରା ଭାଙ୍ଗି ୨ଟି ରାଣୀ ହାର, ୨ଟି ଚିକ ହାର, ୬ଟି ଚେନ, ମୁଦି ୮ଟା, ମଙ୍ଗଳସୂତ୍ର ୨ଟା, ଚୁଡ ୨ ହଳ, କାନଫୁଲ ୬ ହଳ, ଶାଙ୍ଖି ୪ ହଳ ଆଦି ସୁନାଅଳଙ୍କାର ଓ ନଗଦ ୪୫ହଜାର ଟଙ୍କା ଲୁଟ କରିଥିଲେ । ଶରତଙ୍କ ଘର ଉପର ତାଲାରେ ଭଡାରେ ରହୁଥିବା ଜନୈକ ମହିଳାଙ୍କ ଘରୁ ମଧ୍ୟ ଲୁଟ କରିଥିଲେ । ଘଣ୍ଟାଏ କାଳ ଲୁଟପାଟ କରିବା ପରେ ରାତ୍ର ୮.୦୫ମି.ରେ ଘରୁ ବାହାରିଯାଇ ଦୂରରେ ରଖିଥିବା ଗାଡିରେ ଉଭାନ ହୋଇଯାଇଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ । ମୋବାଇଲଗୁଡିକୁ କୋଠରୀ ତାଜା ଉପରେ ଫୋପାଡି ଦେଇ ପଳାଇଯାଇଥିଲେ । ଘର ଲୋକେ ମୋବାଇଲ ଯୋଗେ ପାଖପଡୋଶୀଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଛାନଭିନ ଚଳାଇଛି । ବୁଧବାର ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ଚୋରି ତଦନ୍ତ କରାଯାଇଥିଲା । ହେଲେ ଏହି ତଦନ୍ତରେ ବିଶେଷ କିଛି ସଫଳତା ମିଳିନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.