ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳରେ ଦିନକୁ ଦିନ ସରକାରୀ ଗୋଚର ଓ ଅନାବାଦି ଜାଗା ଜବରଦଖଲ ହେଉଥିବାବେଳେ ଧାମନଗର- ଦୋବଲ ରାସ୍ତାର ଦୁଇ ପାଶ୍ୱର୍ରେ ମଧ୍ୟ ଜବରଦଖଲ ବୃଦ୍ଧି ପାଇଛି । ରାସ୍ତାକରକୁ ଲଗାଇ କେତେକ ଜମିମାଫିଆ ଓ ଜବରଦଖଲ କାରୀମାନେ ସ୍ଥାୟୀ ପକ୍କାଗୃହ କରି ଜମିଗୁଡ଼ିକୁ ଜବରଦଖଲ କରୁଥିବାବେଳେ ପ୍ରଶାସନର ଏଥିପ୍ରତି କୌଣସି ନିଘା ଦେଉନାହିଁ । ତହସିଲର ତଳିଆ କର୍ମଚାରୀ ମାନେ ଏହି ଜମି ଦଲାଲ ମାନଙ୍କ ପାଖରୁ ପ୍ରଚୁର ଭାବରେ ଅର୍ଥନେଇ ସେମାନଙ୍କୁ ଘର କରିବାର ସୁଯୋଗ ଦେଉଛନ୍ତି । ତେବେ ଦୁଇଦିନ ହେବ ନୂଆ କରି ଧାମନଗର- ଦୋବଲ ରାସ୍ତାର ଦୋବଲ ନିକଟସ୍ଥ ଘୋଡ଼ାଗଣ୍ଡ ନିକଟରେ ଏକ ନୂଆ ସରକାରୀ ମଦଦୋକାନ ଖୋଲା ଯାଇଥିବାବେଳେ ଉକ୍ତ ଦୋକାନ ସାମ୍ନା ରାସ୍ତା କଡ଼େ କଡ଼େ ଥିବା ଗୋଚର, ଅନାବାଦି ଓ ପାଣିନାଳ ଉପରେ ବେଆଇନ୍ ଭାବରେ ଦୋକାନ ଓ କେଭିନ ତିଆରି କରାଯାଉଥିବାବେଳେ ଆଉ କେତେକ ଦୋକାନ କରିବା ପାଇଁ ଖୁଣ୍ଟ ପୋତିଦେଲେଣି । ଯାହାକି ଉକ୍ତ ସ୍ଥାନଟି ସମ୍ପୁର୍ଣ୍ଣଭାବରେ ବିପଦ ପୁର୍ଣ୍ଣ ହେବା ସହ ଜବରଦଖଲ ମଧ୍ୟ ହୋଇଛି । ବନ୍ୟା ସମୟରେ ବନ୍ୟାଜଳ ପ୍ରବାହିତରେ ବାଧା ସୃଷ୍ଟି କରିବା ସହିତ ଜନସାଧାରଣ ଯାତାୟତରେ ଘୋର ମଧ୍ୟ ବାଧା ସୃଷ୍ଟି ହେବ । ତୁରନ୍ତ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣ ମାନେ ଦାବି କରିଛନ୍ତି ।