ବଲାଙ୍ଗୀର, ୨୪-୦୮(ଓଡ଼ିଆ ପୁଅ/ନାସର କୁମ୍ଭାର) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ପ୍ରୀତମ ବିଶି (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ନୂଆଁଖାଇ ବାସୀ ପାଳନ ପାଇଁ ମାଂସ ନ ଦେବା ନେଇ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ପ୍ରୀତମ ତାଙ୍କ ପରିବାରକୁ ଛେଳି ମାଂସ ଲାଗି ଉକ୍ତ ଗ୍ରାମର ଜସକେତନ ବିଶି ଙ୍କୁ ଦୁଇ ଶହ ଟଙ୍କା ଦେଇଥିଲେ। ତେବେ ଗ୍ରାମରେ ଅନ୍ୟମାନଙ୍କୁ ବିକ୍ରି କରିବା ଓ ସରିଯିବାରୁ ଜସକେତନ ତାଙ୍କୁ ଟଙ୍କା ଫେରାଇ ଦେଇଥିଲେ। ଏ ନେଇ ପ୍ରୀତମ ତାଙ୍କୁ ରାଗିଯାଇ ଗାଳିଦେବା ସହ ଓ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏପରି କି ହାତାହାତି ହୋଇଥିଲା। ଏକ ଚୌକିରେ ଜସ କେତନ ପ୍ରୀତମଙ୍କ ମୁଣ୍ଡରେ ଆକ୍ରମଣ କରିଦେବାରୁ ଗୁରୁତର ହୋଇଯାଇଥିଲେ।
ପ୍ରୀତମଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଟିଟିଲାଗଡ଼ ସରକାରୀ ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ଶ୍ରୀଯୁକ୍ତ ମହାନ୍ତି ଚେତାଶୂନ୍ୟ ଥିବା ଓ ଅବସ୍ଥା ଗୁରୁତର ଥିବା ପ୍ରକାଶ କରିଛନ୍ତି।
ସେହିପରି ଟିଟିଲାଗଡ଼ ଥାନା ଅନ୍ତର୍ଗତ ଜାମଜୁଲା ଗ୍ରାମରେ ଏପରି ମାଂସ ଭାଗବଣ୍ଟା ନେଇ ସଂଘର୍ଷ ଘଟି ଦୁଇ ଗୋଷ୍ଠି ର ଛଅ ଜଣ ଆହତ ହୋଇଥିବା ଜଣାଯାଇଛି।