Home ଜିଲ୍ଲା ପରିକ୍ରମା ନୀରଦପ୍ରଭା ଗୀତିକବି ସମ୍ମାନ-୨୦୨୨ ପାଇଲେ ଭଦ୍ରକର କୃଷିକବି ଅରୁଣ କୁମାର ପାତ୍ର

ନୀରଦପ୍ରଭା ଗୀତିକବି ସମ୍ମାନ-୨୦୨୨ ପାଇଲେ ଭଦ୍ରକର କୃଷିକବି ଅରୁଣ କୁମାର ପାତ୍ର

37

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ଅନନ୍ୟ ନିଆରା ସାହିତ୍ୟିକ କୃଷିକବି ଭାବେ ସାରା ରାଜ୍ୟରେ ବେଶ ପରିଚିତ ଚାନ୍ଦବାଲି ବ୍ଲକର କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅରୁଣ କୁମାର ପାତ୍ର ନୀରଦପ୍ରଭା ଗୀତିକବି ସମ୍ମାନ – ୨୦୨୨ ପାଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ଜଣେ ଗୀତିକବି ହିସାବରେ ତାଙ୍କର ସାମଗ୍ରିକ ସାରସ୍ୱତ ସୃଷ୍ଟି ପାଇଁ କଟକର ଓଡ଼ିଆ ଗୀତିକବି ସମାଜ ତରଫରୁ ଏହି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ ନିମିତ୍ତ ତାଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା। ଏହି ଉପଲକ୍ଷେ ଡ଼ିସେମ୍ବର ୧୮ ତାରିଖରେ କଟକର ଶତାବ୍ଦୀଭବନରେ ଉକ୍ତ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୩୦ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଡ଼କ୍ଟର ସଙ୍ଗୀତା ରଥ ପ୍ରମୁଖଙ୍କ ଦ୍ୱାରା କୃଷି କବି ଶ୍ରୀ ପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ କୃଷିକବି ଶ୍ରୀଯୁକ୍ତ ପାତ୍ରଙ୍କର ୩୦ରୁ ଉର୍ଦ୍ଧ୍ୱ ଅନବଦ୍ୟ ସାରସ୍ୱତ ସୃଷ୍ଟି ସାଙ୍ଗକୁ ସେଥି ମଧ୍ୟରେ ଥିବା କୃଷି ସମ୍ମନ୍ଧୀୟ ଅନେକ ଗୀତି କବିତା ଓ ଢଗଢମାଳି ଆଦି ଅନେକ ପାଠକଙ୍କୁ ଯେମିତି ଆକୃଷ୍ଟ କରିଛି ଏବଂ ସେମିତି ଶିକ୍ଷା ପ୍ରଦାନ ସହିତ ଉତ୍‌ପ୍ରେରିତ କରିପାରିଛି। ତାଙ୍କର ସୃଷ୍ଟି ମଧ୍ୟରେ ବହୁ ଚର୍ଚ୍ଚିତ ଗୀତି ପୁସ୍ତକ ଗୁଡ଼ିକ ହେଲା, ‘ଭାବଗତ ଛନ୍ଦେ କୃଷି ବିଜ୍ଞାନ’, ‘ଅରୁଣ କୃଷି ବଚନ’, ‘କୃଷି ବୋଲି – ହୋ ଚାଷୀ ଭାଇ ହୋ’, ‘ଓଡ଼ିଆ ସାହିତ୍ୟରେ ନୂତନ ଢ଼ଗଢ଼ମାଳି’, ‘କୃଷି ଚଉତିଶା ଓ କୃଷି ଚାଳିଶା’ ଅନ୍ୟତମ। କୃଷିକବି ଶ୍ରୀ ପାତ୍ର ମଧ୍ୟ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ରଚିତ ଗୀତାଞ୍ଜଳକୁ ଇଂରଜୀରୁ ଓଡ଼ିଆ ଅନୁବାଦ କରିଛନ୍ତି। ଜଣେ କୃଷି କବି ତଥା ଆକାଶବାଣୀର ଗୀତିକାର ଭାବେ ସେ ବେଶ୍ ସୁନାମ ଅର୍ଜ୍ଜନ କରିଛନ୍ତି। ସାରସ୍ୱତ ଦୁନିଆରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଭଦ୍ରକ ସମେତ ରାଜ୍ୟର ବହୁ ସାହିତ୍ୟିକ ଓ କୃଷି ପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉକି ଆକାଶବାଣୀର ଜଣେ ବରିଷ୍ଠ ଗୀତିକାର ଭଦ୍ରକ ଜିଲ୍ଲାର ପୀତାମ୍ବର ମିଶ୍ର ମଧ୍ୟ ଅତୀତରରେ ଓଡ଼ିଆ ଗୀତିକବି ସମାଜ ଦ୍ୱାରା ପୁରସ୍କୃତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.