ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତର ୫ଟି ମଣ୍ଡପରେ ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା ରବିବାର ଅନୁଷ୍ଠିତ ହୋଇଛି । ଏହି ପଞ୍ଚାୟତରେ ୨ଶହ ବଙ୍ଗୀୟ ପରିବାର ଦ୍ୱାରା ୫ଟି ମଣ୍ଡପରେ ମା’ଙ୍କ ପୂଜା କରୁଛନ୍ତି । ପ୍ରାୟ ୩ ଶହ ବର୍ଷ ପୂର୍ବେ ନିର୍ଗୁଣ୍ଡିରେ ପ୍ରଥମେ ମା’ଙ୍କ ପୂଜା ଗୋଟିଏ ମଣ୍ଡପରେ ଆରମ୍ଭ ହୋଇଥିଲା । କ୍ରମେ ପରିବାର ସଂଖ୍ୟା ବୃଦ୍ଧି ଓ ମନୋମାଳିନ୍ୟ ଯୋଗୁଁ ୫ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ସୁରେନ୍ଦ୍ରନାଥ ପାଳଙ୍କ ତତ୍ତ୍ୱାବଧାନରେ ୬୦ ପରିବାର ସ୍ଥାନୀୟ ଅଞ୍ଚଳର ଆଦ୍ୟଦୁର୍ଗା ପୂଜା ପାଳନ କରାଯାଉଛି । ସେହିପରି କୁଣ୍ଡୁସାହିରେ ୧୦ ବଙ୍ଗୀୟ ପରିବାର ପକ୍ଷରୁ ଶରତ ଚନ୍ଦ୍ର କୁଣ୍ଡୁ ଓ ମହେନ୍ଦ୍ର ନନ୍ଦିଙ୍କ ତତ୍ତ୍ୱାବଧାନରେ ପୂଜାକାର୍ଯ୍ୟ ପରିଚାଳିତ ହେଉଛି । ଏହି ମଣ୍ଡପରେ ଭଜନସନ୍ଧ୍ୟା, କବିତାପାଠୋତ୍ସବ, ନୃତ୍ୟ ପ୍ରତିଯୋଗୀତା ବିଭିନ୍ନ ଦିବସରେ ଆୟୋଜିତ ହୋଇଛି । ପଞ୍ଚାୟତର ହାଟସାହିରେ ରାଜେନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମା’ଙ୍କ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଛି । ନାଗାପାଳ ସାହିର ୨ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ନାରାୟଣ ଚନ୍ଦ୍ର ଦେଙ୍କ ତତ୍ତ୍ୱାଧାନରେ ଗୋଟିଏ ମଣ୍ଡପରେ ଓ ବଳରାମ ଦାସଙ୍କତ୍ତତତ୍ତ୍ୱାବଧାନରେ ଅନ୍ୟ ଏକ ମଣ୍ଡପରେ ପୂଜା ପାଳନ କରାଯାଉଛି । ପ୍ରତ୍ୟେକ ମଣ୍ଡପରେ କଖାରୁ, ଆଖୁ ଓ କାକୁଡି ବଳି ପ୍ରଚୁର ମାତ୍ରାରେ ହୋଇଥାଏ । ଏହି ସବୁ ମଣ୍ଡପରେ ମହାଷ୍ଟମୀ ପୂଜାକୁ ସନ୍ଧି ପୂଜା ଭାବେ ପାଳନ ହୋଇ ଖେଚୁଡି ଭୋଗଲାଗି କରାଯାଇଥାଏ । ମହିଳାମାନେ ଉତ୍ସାହ ଓ ଉଦ୍ଦୀପନା ସହ ବ୍ରତ ଧାରଣ କରନ୍ତି । ମଣ୍ଡପଗୁଡିକରେ ଚଣ୍ଡିପାଠ, ପୁସ୍ତକାଚାର୍ଯ୍ୟ ଓ ନୀତିକାନ୍ତି ପାଇଁ ୩ ଭିନ୍ନ ଭିନ୍ନ ପୂଜକ ଦାଇତ୍ୱ ତୁଲାଉଛନ୍ତି । ପ୍ରତ୍ୟେକ ମୃଣ୍ମୟୀ ମୂର୍ତ୍ତିଙ୍କ ଚାନ୍ଦିମୁକୁଟ ମଣ୍ଡପର ଶୋଭାକୁ ଦ୍ୱିଗୁଣିତ କରୁଛି । ଆଲୋକମାଳାରେ ସଜ୍ଜିତ ମଣ୍ଡପଗୁଡିକ ଗ୍ରାମ୍ୟ ଜନଜୀବନକୁ ସରସ ସୁନ୍ଦର କରିଛି । ପୂଜାର ଅବ୍ୟବହିତ ପୂର୍ବରୁ ୫ଟି ଯାକ ମଣ୍ଡପର ପ୍ରମୁଖମାନଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ପରସ୍ପର ସହଯୋଗ ପାଇଁ ସହମତି ହାସଲ କରାଯାଇଛି । ସାମୁହିକ ସଫେଇ କରାଯାଇ ଜନଗହଳିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମଣ୍ଡପଗୁଡିକର ମୃଣ୍ମୟୀ ମୂର୍ତ୍ତିକୁ ଦଶହରା ଦିନ ବିସର୍ଜ୍ଜନ ଦିଆଯାଇ ପରଦିନ ରେବ ନଦୀରେ ଭସାଣ କରାଯିବାର ପରମ୍ପରା ପ୍ରଚଳିତ ଅଛି ।