Home ଜିଲ୍ଲା ପରିକ୍ରମା ନିରାଡ଼ମ୍ବରରେ ପାଳିତ ହେଲା ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

ନିରାଡ଼ମ୍ବରରେ ପାଳିତ ହେଲା ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

31

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପର୍ବୂ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ମହାଉତ୍ସାହର ସହିତ ନିରାଡ଼ମ୍ବରରେ ପ୍ୟାରେଡ଼ ଓ ଜନସମାବେଶ ବିନା ୭୬ତମ ଭଦ୍ରକ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଏହି ସମାରୋହରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଦୁଇ ପ୍ଲାଟୁନ୍ ପୋଲିସ ଦଳଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ୍ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତର ଧୂନ୍ ପରିବେଷଣ କରାଯାଇଥିଲା। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବା ଅବସରରେ ମୁଖ୍ୟ ଅତିଥି ଭାରତୀୟ ସ୍ୱାଧୀନତା ପ୍ରାପ୍ତିରେ ବଳିଷ୍ଠ ଅବଦାନ ରଖିଥିବା ଆମ ଦେଶ, ରାଜ୍ୟ ଓ ଭଦ୍ରକ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସେମାନଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱାଧୀନୋତ୍ତର ଦେଶ ଓ ଆମ ରାଜ୍ୟର ପ୍ରଗତି ନେଇ ବାର୍ତ୍ତା ପ୍ରଦାନ ଅବସରରେ ଆମ ରାଜ୍ୟ ଓଡ଼ିଶା ଏକ ଆଗୁଆ ରଜ୍ୟ। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସଫଳତାରେ ଆମ ରାଜ୍ୟ ଉଦାହରଣ ସୃଷ୍ଟି କରିପାରିଛି।

ସରକାରଙ୍କ ଉଦ୍ୟମ ସହିତ ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ସହଯୋଗ ଜାରି ରହିଲେ ଆହୁରି ଅଧିକରୁ ଅଧିକ ସଫଳତା ହାସଲ କରିବୁ ବୋଲି ସେ ପ୍ରକାଶ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ହାଇସ୍କୁଲ, ମଧ୍ୟଇଂରାଜୀ ଓ ପ୍ରାଥମିକ ସ୍ତରରେ ହୋଇଥିବା କୁଇଜ୍‌, ଦେଶାତ୍ମବୋଧକ ସଂଗୀତ, ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ହାଇସ୍କୁଲ ପରୀକ୍ଷାରେ ଜିଲ୍ଲାର ଟପର୍ ହୋଇଥିବା ସାଇସତ୍ୟପ୍ରକାଶ ପରିଡ଼ା ଓ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରତିଭା ସ୍ନେହା ଦାସଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ୨୫ଜଣ କରୋନା ଯୋଦ୍ଧାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା। ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମାପ୍ତି ପରେ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି, ଏସ୍‌.ପି. ଚରଣସିଂ ମୀନା ଓ ସଭାପତି ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ଜେନାଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ପୋଲିସ୍ ଆର୍‌.ଆଇ. ମନୋରଞ୍ଜନ ତରେଇ ଓ ସର୍ଜେଣ୍ଟ ଚିତ୍ତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ବିଭାଗୀୟ ଅଭିବାଦନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଜିଲ୍ଲାର ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ନର୍ବାହି ଅଧିକାରୀ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଏସ୍‌.ପି. ଯତୀନ୍ କୁମାର ପଣ୍ଡା, ଉପଖଣ୍ଡ ପୋଲିସ୍ ଅଧିକାରୀ ପ୍ରଭାସ ଚନ୍ଦ୍ର ପାଲ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଭଦ୍ରକ ପୌରାଞ୍ଚଳେରେ ରାମଧୁନ ପରିକ୍ରମା କରାଯାଇଥିଲା। ସକାଳ ୭ ଘଟିକାରେ ସହର ମୁଖ୍ୟ ରାସ୍ତାର ପାଶ୍ୱର୍ରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଦିବସ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନରେ ପୂର୍ତ୍ତ ବିଭାଗ, ପୌରପରିଷଦ, ପୋଲିସ୍ ବିଭାଗ ଆଦିର ଆନୁସଙ୍ଗିକ ସହଯୋଗ ସାମିଲ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.