Home ଜିଲ୍ଲା ପରିକ୍ରମା ନିରାଶ ହୋଇ ଫେରିଲା ବାପାକୁ ନେବା ପାଇଁ ଅପେକ୍ଷା କରିଥିବା ପୁଅ

ନିରାଶ ହୋଇ ଫେରିଲା ବାପାକୁ ନେବା ପାଇଁ ଅପେକ୍ଷା କରିଥିବା ପୁଅ

352

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉମାତ୍ର କିଛି ସମୟ ପରେ ବାପା ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ôଚବା ପରେ ବଡ଼ପୁଅ ତାଙ୍କୁ ସାଙ୍ଗରେ ଭଡ଼ାଘରକୁ ନେଇଥାନ୍ତେ । ଭଡ଼ାଘରେ ପତ୍ନୀ ମଧ୍ୟ ସ୍ୱାମୀକୁ ଅପେକ୍ଷା କରି ବସିଥିଲେ । ମାତ୍ର ସମସ୍ତଙ୍କୁ ଅଲଗା କରିଦେଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସାନପୁଅ ଭଦ୍ରକ ଚରମ୍ପା ରେଳଷ୍ଟେସନରେ ଶୁକ୍ରବାର ଅପରାହ୍ନରେ ଯଶୋବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍‌ରେ ଚଢ଼ାଇ ଘରକୁ ଫେରିଥିଲେ । ସେହିଦିନ ସନ୍ଧ୍ୟାରେ ଖବର ମିଳିଥିଲା ଯଶୋବନ୍ତପୁର ହାୱଡ଼ା ଏକ୍ସପ୍ରେସ୍ ସହିତ କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ହୋଇଥିଲା । ଏହି ଖବର ପାଇବା ପରେ ଭଦ୍ରକ ଜିଲା ତିହିଡ଼ି ଥାନା କୁବେରା ପଞ୍ଚାୟତ ଅଧୀନ କୁବେରା ଗ୍ରାମର ହରିହର ସାହୁ (୫୪)ଙ୍କ ପରିବାର ବ୍ୟସ୍ତ ବିବ୍ରତ ହୋଇ ହରିହରଙ୍କ ମୋବାଇଲକୁ ଫୋନ କରିଥିଲେ । ମାତ୍ର ମୋବାଇଲ ବାରମ୍ବାର ରିଙ୍ଗ ହୋଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ପରିବାର ଲୋକ ସନ୍ଦେହ କରି ଗ୍ରାମର ଦୀନବନ୍ଧୁ ସାହୁ ଓ ଦୁର୍ଯ୍ୟୋଧନ ସାହୁଙ୍କ ସହିତ ଶୁକ୍ରବାର ରାତିରେ ବାହାନଗାରେ ପହଞ୍ôଚଥିଲେ । ସେଠାରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ହରିହର ସାହୁଙ୍କର କୌଣସି ପତ୍ତା ପାଇନଥିଲେ । ପରେ ଶନିବାର ସକାଳେ ବାହାନଗା ଯାଇ ପୁଣି ହରିହରଙ୍କୁ ଠାବ କରିବା ପାଇଁ ଖୋଜାଖୋଜି କରିଥିଲେ । ଶେଷରେ ବାହାନଗାର ଏକ ସ୍କୁଲରେ ରଖା ଯାଇଥିବା ବିଭତ୍ସ ମୃତ ଦେହ ଗୁଡ଼ିକୁ ଦେଖିବା ପରେ ହରିହର ସାହୁଙ୍କ ପାଦ ଓ ପ୍ୟାଣ୍ଟ ପକେଟରେ ଥିବା ଆଧାର କାର୍ଡ଼ରୁ ତାଙ୍କୁ ଚିହ୍ନଟ କରାଯାଇଥିଲା ।

ପରେ ହରିହରଙ୍କ ମୃତଦେହକୁ ନିଜ ଗ୍ରାମ କୁବେରାକୁ ଅଣାଯାଇଥିଲା । ସେଠାରେ ହରିହରଙ୍କର ମୃତ୍ୟୁ ଖବର ପାଇବା ପରେ ଅତ୍ୟନ୍ତ ଶୋକାକୁଳ ପରିବୋ ସୃଷ୍ଟି ହୋଇଥିଲା । ମୃତ ହରିହର ବାଲେଶ୍ୱର ସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀରେ ଚାକିରୀ କରି ବାଲେଶ୍ୱରରେ ପରିବାରଙ୍କ ସହ ଘରଭଡ଼ା କରି ରହୁଥିଲେ । ସେ ଗ୍ରାମର ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ଗାଁକୁ ଆସି ବାଲେଶ୍ୱର ଫେରୁଥିଲେ । ହରିହରଙ୍କ ମୃତଦେହ ଗ୍ରାମକୁ ଆସିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ କୀର୍ତ୍ତି ଚନ୍ଦ୍ର ସେଠୀ, ସମାଜସେବୀ ଡ. ସଂଞ୍ଜୟ କୁମାର ଦାସ, ପୂର୍ବତନ ସରପଞ୍ଚ ପ୍ରତିନିଧି ଯତୀନ୍ଦ୍ର କୁମାର ବେହେରା, ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ରାଉତ, ସମିତିସଭ୍ୟ ପ୍ରତିନିଧି ଅନୀଲ କୁମାର ନାୟକ, ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକ, ସମାଜସେବୀ ସାଇଶରଣ ବେହେରା, ଶଶିକାନ୍ତ ରାଉଳ, ଅଧ୍ୟାପକ ପ୍ରଦୀପ କର, ଅଭୟ ନାୟକ, କୃପାସିନ୍ଧୁ ସାହୁ, ନିର୍ମାଲ୍ୟ ଜେନା, ଶରତ ନାୟକ, ଅମର ନାୟକ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଶୋଭାଯାତ୍ରାରେ ସାମିଲ ଥିଲେ । ତାଙ୍କ ମୃତ୍ୟୁରେ ତିହିଡ଼ି ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ବଡ଼ପୁଅ ବିଶ୍ୱଜିତ୍ ସାହୁ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଅଭିଜିତ ସାହୁ ଓ ପରିବାରବର୍ଗମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.