ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମର ସାହିରେ ଥିବା ରଘୁନାଥ ନାୟକଙ୍କ ବାସଗୃହ ସମ୍ମୁଖ ରାସ୍ତା ପାଶ୍ୱର୍ ସରକାରୀ ନଳକୂପକୁ ଅଳିଆ ଫିଙ୍ଗା ଘଟଣାର ପ୍ରତିବାଦ ଯୋଗୁଁ ଆକ୍ରମଣ ହୋଇଥିବା ଅଭିଯୋଗରେ ମାମଲା ଋଜୁ ହୋଇଛି । ଅଭିଯୋଗ ଅନୁଯାୟୀ ସଂପୃକ୍ତ ନଳକୂପ ମୁଖ୍ୟତଃ ସାହିର ୩ ପରିବାର ବ୍ୟବହାର ପାଇଁ ସ୍ଥାପିତ ହୋଇଥିଲା । ମାତ୍ର ମାନଗୋବିନ୍ଦ ନାୟକଙ୍କ ପରିବାର ପକ୍ଷରୁ ନଳକୂପ ନିକଟରେ ଅଁଇଠା ବାସନ ମଜାଯିବା ସହ ଅଳିଆ ଆବର୍ଜ୍ଜନା ନଳକୂପ ଉପରକୁ କ୍ରମାଗତ ଭାବେ ଫିଙ୍ଗାଯାଉଥିଲା । ଗତ ବୁଧବାର ଅପରାହ୍ନରେ ମାନଗୋବିନ୍ଦଙ୍କ ପରିବାର ପକ୍ଷରୁ ଅଳିଆ ନଳକୂପ ଉପରକୁ ଫିଙ୍ଗାଯାଉଥିବା ବେଳେ ରଘୁନାଥଙ୍କ ପତ୍ନୀ ଉମି ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାନଗୋବିନ୍ଦଙ୍କ ପରିବାର ଲୋକେ ଉମିକୁ ବାଡି ଓ ଭଙ୍ଗା ଇଟା ଯୋଗେ ଆକ୍ରମଣ କରିଥିଲେ । ଏଥିରେ ଉମି ଆହତ ହୋଇଥିଲେ । ଉମିଙ୍କ ଅଭିଯୋଗ ଆଧାରରେ ଥାନାରେ ୫୧/୨୪ ନଂ ମାମଲା ମାନଗୋବିନ୍ଦ, ପତ୍ନୀ ମଞ୍ଜୁ ଓ ପୁତ୍ର ରାହୁଳଙ୍କ ନାମରେ ଋଜୁ ହୋଇଛି । ସବଇନିସପେକ୍ଟର ସ୍ନେହପ୍ରଭା ସାହୁ ମାମଲାର ତଦନ୍ତ ଚଳାଇଛନ୍ତି ।