Home Top News ନମସ୍କାରର ମହତ୍ତ୍ୱ

ନମସ୍କାରର ମହତ୍ତ୍ୱ

114

ଆଧୁନିକ ଯୁଗରେ ନମସ୍କାରର ରୂପରେଖ ବଦଳିବାରେ ଲାଗିଛି। ପଶ୍ଚ୍ୟତ ସଭ୍ୟତାକୁ ଅନୁକରଣ କରି ସଂସ୍କୃତି ଓ ପରମ୍ପରାକୁ ଭୁଲି ଗଲେଣି। ନମସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଯାହାର ଏକ ସ୍ୱତନ୍ତ୍ର ସ୍ଥାନ ଏବଂ ମହତ୍ତ୍ଵ ଅଛି। ଯାହାପଛରେ ତାତ୍ତ୍ବିକ ମହତ୍ତ୍ଵ ଏବଂ ବୈଜ୍ଞାନିକ ରହସ୍ୟ ମଧ୍ୟ ଲୁଚି ରହିଛି। ନମସ୍କାର ବେଳେ ବେଳେ ଦୀର୍ଘଦିନର ତିକ୍ତ ସମ୍ପର୍କକୁ ମଧୁର କରିଦେଇଥାଏ ଏବଂ ମନୋମାଳିନ୍ୟକୁ ଦୂର କରିଥାଏ। ‘ନମସ୍କାର’ ଟିଏ ପରିସ୍ତିତିକୁ ଅଦ୍ଭୂତପୂର୍ବ ପରିବର୍ତ୍ତନ କରିଦେଇଥାଏ। ମହାଭାରତ ଯୁଧ୍ୟରେ ଭୀଷ୍ମ ଥିଲେ ମହାଯୋଦ୍ଧା। ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ବଦ୍ଧ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ଶ୍ରୀକୃଷ୍ଣ ଚିନ୍ତାକଲେ କେମିତି ବଞ୍ଚାଇବେ ନିଜର ପାଞ୍ଚ ଜଣ ସଖାଙ୍କୁ। ତେଣୁ ସେ ସଖୀ ଦ୍ରୌପଦୀଙ୍କୁ ନିଜ ସାଙ୍ଗରେ ନେଇ ପହଞ୍ଚିଲେ ପିତାମହ ଭୀଷ୍ମଙ୍କ ଶିବିରରେ। କୃଷ୍ଣ ବାହାରେ ଅପେକ୍ଷା କରି ରହିଲେ। ପିତାମହ ଭୀଷ୍ମ ଶୋଇଥିବା ଅବସ୍ଥାରେ ଦ୍ରୌପଦୀ ତାଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଲେ। ଆଖି ବୁଜିଥିବା ଅବସ୍ଥାରେ ଭୀଷ୍ମ ଆଶୀର୍ବାଦ ଦେଇ କହିଲେ ତୁମେ ଅହିସୁଲକ୍ଷଣୀ ଭବ। ତା’ପରେ ଯେତେବେଳେ ଆଖି ଖୋଲି ଦେଖିଲେ ଦ୍ରୌପଦୀଙ୍କୁ ଚମକି ପଡ଼ିଲେ ଭୀଷ୍ମ। ରାତି ପାହିଲେ ପାଞ୍ଚ ଜଣ ପାଣ୍ଡବଙ୍କୁ ବଧ କରିବାକୁ ଶପଥ ନେଇଥିଲେ। କିନ୍ତୁ ସେମାନଙ୍କ ପତ୍ନୀଙ୍କୁ ଦେଇଦେଲେ ଅହିସୁଲକ୍ଷଣି ଆଶୀର୍ବାଦ। ସାମାନ୍ୟ ‘ନମସ୍କାର’ ଦ୍ୱାରା ପାଣ୍ଡଵ ପାଞ୍ଚ ଭାଇ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ।

ନମସ୍କାରକୁ କେହି କେହି ନମସ୍ତେ, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ ବୋଲି କହିଥାନ୍ତି। ଯେଉଁମାନେ ଏହାର ଉଚ୍ଚାରଣ କରିଥାନ୍ତି ଓ ଯେଉଁମାନେ ଗ୍ରହଣ କରିଥାନ୍ତି ଏହା ଉଭୟଙ୍କୁ ଆପ୍ୟାୟିତ କରେ। ସମ୍ମାନ ପ୍ରଦାନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ବାଗତ ସମ୍ବର୍ଦ୍ଧନା, କୃତଜ୍ଞତା ଜ୍ଞାପନ, ଖୁସି ପ୍ରକଟ କରିବା ପାଇଁ ଏହା ଏକ ଲୋକପ୍ରିୟ ମାଧ୍ୟମ। ଦେବା ଦେବୀ, ପିତା-ମାତା, ଶିକ୍ଷକ, ଗୁରୁଜନ, ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡି ନତମସ୍ତକ ହେବା ଦ୍ୱାରା ମନରେ ଥିବା ସବୁ ରାଗ, ହିଂସା, ଅହଂକାର ଦୂର ହେବା ସହିତ ମନ ସରଳ ଓ ସାତ୍ତିକ ହୋଇଥାଏ। ଆଶୀର୍ବାଦରେ ଜୀବନ ଧନ୍ୟ ହୋଇଥାଏ ଓ ଭବିଷ୍ୟତରେ ଆଗକୁ ବଢିବା ପାଇଁ ପ୍ରେରଣା ମିଳିଥାଏ। ନମସ୍କାର କରିବା ଦ୍ୱାରା ନିଜର ବହୁତ ଉପକାର ହୋଇଥାଏ। ପ୍ରତିପକ୍ଷରୁ କୌଣସି ଲାଭ ଥାଉ ବା ନଥାଉ ନମସ୍କାର କରିବା ପାଇଁ କୁଣ୍ଠା ରହିବା ଉଚିତ ନୁହେଁ। ନମସ୍କାର କରିବା ସମୟରେ ମନ ନିର୍ମଳ ରହିବା ଆବଶ୍ୟକ। ଅନ୍ଧମୁନିଙ୍କ ଅନ୍ଧତ୍ୱର କାରଣ ଥିଲା ତାଙ୍କର ମନ। ପୂର୍ବଜନ୍ମରେ ତାଙ୍କ ଗୃହରେ ଅତିଥି ହୋଇଥିଲେ ଜଣେ ଋଷି। ସେ ଋଷିଙ୍କୁ ନମସ୍କାର କଲାବେଳେ ଋଷିଙ୍କ ଗୋଦର ଗୋଡକୁ ଦେଖି ଘୃଣାରେ ଆଖି ବନ୍ଧ କରିଥିଲେ, ଠିକ୍ ସେହି ସମୟରେ ଋଷି ତାଙ୍କୁ କହିଥିଲେ ତଥାସ୍ତୁ।

ଯୋଗ ଗୁରୁଙ୍କ ମତରେ ପୃଥିବୀର ପ୍ରତ୍ୟେକ ଜିନିଷ ସୂର୍ଯ୍ୟଙ୍କ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ। ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। ସୂର୍ଯ୍ୟ ନମସ୍କାର ଉପରେ କରାଯାଇଥିବା ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ସୂର୍ଯ୍ୟ ନମସ୍କାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ।

ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.