Home ଜିଲ୍ଲା ପରିକ୍ରମା ନବୀନ କାର୍ଡ଼ ପାଇଁ ଗ୍ରାମାଞ୍ଚଳରେ ବୁଲିଲା ସଚେତନତା ରଥ, ୬ରୁ ପଞ୍ଜିକରଣ ଆରମ୍ଭ ୧୬ରେ ଶେଷ

ନବୀନ କାର୍ଡ଼ ପାଇଁ ଗ୍ରାମାଞ୍ଚଳରେ ବୁଲିଲା ସଚେତନତା ରଥ, ୬ରୁ ପଞ୍ଜିକରଣ ଆରମ୍ଭ ୧୬ରେ ଶେଷ

77

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ତାଲିକାରୁ ବାଦ୍ ପଡ଼ିଥିବା ଏବଂ ଚାକିରିଆ, ପେନ୍‌ସନ୍‌ଭୋଗୀ ଏବଂ ଆୟକରଦାତା ହୋଇନଥିବା ଗ୍ରାମାଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରଚଳିତ ହେବାକୁ ଯାଉଥିବା ବି.ଏସ୍‌.କେ.ୱାଇ ନବୀନ କାର୍ଡ଼ ପାଇଁ ନାମ ପଞ୍ଜିକରଣ ଉପଲକ୍ଷେ ସଚେତନତା ଉଦ୍ଦେଶ୍ୟରେ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତି ସି.ଏଚ୍‌.ସି. ଅନ୍ତର୍ଗତ ଅଞ୍ଚଳ ପାଇଁ ଗୋଟିଏ ଲେଖାଏଁ ରଥ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୭ଟି ସି.ଏଚ୍‌.ସି. ଦ୍ୱାରା ୭ଟି ରଥ ପ୍ରସ୍ତୁତ କରାଯାଇ ଡ଼ା. ଶ୍ରୀଯୁକ୍ତ ପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ରଥ ଗୁଡ଼ିକ ପ୍ରତ୍ୟେକ ପଞ୍ଚାୟତ ପରିକ୍ରମା କରି ଏହି ନବୀନ କାର୍ଡ଼ର ସୁବିଧା ଉପଲବ୍‌ଧତା ବିଷୟରେ ପ୍ରଚାର ପ୍ରସାର କରିବେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭାରତୀ ରାଉତ ଓ ଅନ୍ୟ ଡ଼ାକ୍ତର ପାର୍ଥ ସାରଥି ମିଶ୍ର, ପୁତୁନୁ ହାସଦା, ଜପାମାଳି ସେଠୀ, ଗୟାଧର ମଲିକ୍ ଏବଂ ଆଶାମାନେ ଯୋଗ ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅନିତା ରାଣୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟକି ଏହି କାର୍ଡ଼ ପାଇଁ ଯୋଗ୍ୟ ହିତାଧିକାରୀମାନେ ଜାନୁୟାରୀ ୬ ତାରିଖରୁ ଜାନୁୟାରୀ ୧୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ନିଜେ କିମ୍ବା ଜନସେବାକେନ୍ଦ୍ର ଜରିଆରେ ଆବେଦନ କରିପାରିବେ । ଏହି କାର୍ଡ଼ ଜରିଆରେ ହିତାଧିକାରୀମାନଙ୍କୁ କିଡ଼୍‌ନି, ହାର୍ଟ, ବ୍ରେନ୍‌ଷ୍ଟ୍ରୋକ୍‌, ଲିଭର ଆଦି ଭଳି କ୍ରିଟିକାଲ୍ ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇପାରିବେ । ବି.ଏସ୍‌.କେ.ୱାଇ. କାର୍ଡ଼ଧାରୀମାନେ ନବୀନ କାର୍ଡ଼ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । କେବଳ ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ବର୍ତ୍ତମାନ ପାଇଁ ଏହି ସୁବିଧା ଉପଲବ୍ଧ ଅଛି । ଗୋଟିଏ ପରିବାର ୧୮ ବର୍ଷରୁ ଉର୍ଦ୍ଧ୍ୱ ଯେ କୌଣସି ସଦସ୍ୟ ଏହି କାର୍ଡ଼ ନିମନ୍ତେ ପରିବାର ପକ୍ଷରୁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.