Home ଜିଲ୍ଲା ପରିକ୍ରମା ଧୁଷୁରୀରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ସମସ୍ୟାର ସମାଧାନ ଦାବି

ଧୁଷୁରୀରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ସମସ୍ୟାର ସମାଧାନ ଦାବି

22

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟୀ ସ୍ଥଳୀ ଧୁଷୁରୀ ବଜାରରେ ଦିନକୁ ଦିନ ଜନଗହଳି ବୃଦ୍ଧି ପାଉଛି । ଏଥିସହ ବଜାରରେ ଦୋକାନୀଙ୍କ ସଂଖ୍ୟା ଏବଂ ଭଦ୍ରକ, କଟକ, କୋଲକାତା, ଭୁବନେଶ୍ୱର ଓ ବାଲେଶ୍ୱର ସମେତ ଜିଲାର ବିଭିନ୍ନ ଅଂଚଳରୁ ଶୈବପୀଠ ଆଖଣ୍ଡଳମଣି ପୀଠ ଆରଡିକୁ ଚଳପ୍ରଚଳ କରୁଥିବା ଯାତ୍ରୀବାହୀ ବସ୍‌ଗୁଡିକର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ପଂଚାୟତର ମଧ୍ୟସ୍ଥଳ ଧୁଷୁରୀ ବଜାର ହୋଇଥିବାରୁ ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଦପ୍ତର ଭଳି ଗନ୍ତବ୍ୟ ସ୍ଥଳକୁ ଏବଂ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ଧାମକୁ ଯିବାପାଇଁ ବହୁ ସଂଖ୍ୟକ ଯାତ୍ରୀ ଏହି ବଜାରରେ ଅପେକ୍ଷା କରିଥାନ୍ତି । ମାତ୍ର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବଜାରରେ ବସଷ୍ଟାଣ୍ଡ ନଥିବାରୁ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍ ଓ ଅନ୍ୟ ହାଲୁକା ଯାନ ଗୁଡିକ ବଜାର ମଝିରେ ଯାଇଥିବା ଆରଡି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଠିଆ ହୋଇ ଯାତ୍ରୀମାନଙ୍କୁ ନେବା ଆଣିବା କରୁଛନ୍ତି । ଏହି ସମୟରେ ରାସ୍ତାରେ ଅନ୍ୟ କୌଣସି ଯାନ କିମ୍ବା ବଡ ବଡ ଟ୍ରକ୍ ଯିବାବେଳେ ଟ୍ରାଫିକ୍ ସମସ୍ୟା ଘଟି ଦୁର୍ଘଟଣା ଘଟୁଛି । ଏସବୁ ସମସ୍ୟାର ସମାଧାନ ପାଇଁ ଧୁଷୁରୀ ବଜାରରେ ଏକ ବସ୍‌ଷ୍ଟାଣ୍ଡ ଆବଶ୍ୟକ ଥିବାବେଳେ ଏଥିପ୍ରତି ସରକାରଙ୍କ ନଜର ପଡୁନାହିଁ । ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ହେଁ ତାହାର ସମାଧାନ କରାଯାଉନଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁଇଦିନ ତଳେ ଧାମନଗର ବ୍ଲକ୍‌ର ଦୋବଲ ଠାରେ ଏବଂ ଧାମନଗର ବିଜ୍ଞାପିତ ଅଂଚଳର ଜୟନଗର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି । ହେଲେ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ଧୁଷୁରୀ ବସଷ୍ଟାଣ୍ଡ ପ୍ରତି ଅନୁଦାନ ଦେବା କ୍ଷେତ୍ରରେ ସରକାରଙ୍କ ଉଦାସୀନତା ନୀତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଣୁ ଧୁଷୁରୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର ପୁନଃ ବିଚାର କରି ଅନୁଦାନ ଦିଅନ୍ତୁ ବୋଲି ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.