ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଥିବା ଜନସେବା କେନ୍ଦ୍ର ରେ ନୂତନ ଆଧାର କାର୍ଡ ପଞ୍ଜିକୃତ କରିଦେବା ନାମରେ ଚାଲିଛି ଶୋଷଣ । ଏହି ଶୋଷଣର ଶିକାର ହେଉଛନ୍ତି ନିରୀହ ଜନସାଧାରଣ । ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ ପଞ୍ଜିକୃତ କରିବା ,ଆଧାର କାର୍ଡରେ ସଂଶୋଧନ କରାଇବା ଆଳରେ ପ୍ରତି ଲୋକ ପିଛା ୫ଶହ ଟଙ୍କା ଆଦାୟ କରାଯାଉଛି । ଘଟଣାରୁ ପ୍ରକାଶ ଧାମରାରେ ଥିବା ଏକ ଜନସେବା କେନ୍ଦ୍ର ,ସରକାରଙ୍କ ସ୍ୱୀକୃତି ପାଇ ନଥିବା ବେଳେ ସାଧାରଣ ଜନତାଙ୍କୁ ପ୍ରତି ସପ୍ତାହରେ ଶୋଷଣ କରି ଚାଲିଛି । ଏହି କେନ୍ଦ୍ରର ମାଲିକ ବାସୁଦେବପୁରରୁ ଜଣେ ଦଲାଲଙ୍କୁ ଧରି ଧାମରାରେ ଥିବା ନିଜ କେନ୍ଦ୍ରରେ ନୂତନ ଆଧାର କାର୍ଡ ପାଇଁ ପଞ୍ଜିକୃତ ଏବଂ ସଂଶୋଧନ କରିବା ଆଳରେ ପ୍ରତି ସପ୍ତାହରେ ଶତାଧିକ ଲୋକଙ୍କୁ ଏକଜୁଟ କରି ପ୍ରତ୍ୟେକଙ୍କ ଠାରୁ ୫ଶହ ଟଙ୍କା ଲେଖାଏ ଆଦାୟ କରୁଛନ୍ତି । କେନ୍ଦ୍ର ସରକାର ଙ୍କ ଆଇନ ଅନୁଯାୟୀ କୌଣସି ଜନସେବା କେନ୍ଦ୍ର ନୂତନ ଆଧାର କିମ୍ବା ସଂଶୋଧନ ପାଇଁ ୧ଶହ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ଗାଇଡ ଲାଇନ ରଖିଛନ୍ତି । ମାତ୍ର ସଂପୃକ୍ତ କେନ୍ଦ୍ରର ମାଲିକ କେଉଁ ପରିସ୍ଥିତିରେ ସାଧରଣ ଜନତା୍ଙ୍କୁ ଭୂଆଁ ବୁଲାଇ ୧ଶହ ଟଙ୍କା ବଦଳରେ ପାଂଚ ଗୁଣା ଅର୍ଥାତ ୫ଶହ ଟଙ୍କା ଆଦାୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏହି ସମସ୍ତ କାର୍ଯ୍ୟ ଦିନ ଦ୍ୱିପ୍ରରରେ ଚାଲିଥିବା ବେଳେ ଏହାକୁ କିପରି ରୋକ ଦିଆ ଯାଉ ନାହିଁ ତାହା ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।ଭଦ୍ରକ ଜିଲାପାଳ ଏଥିପ୍ରତି ନଜର ଦେବାକୁ ସର୍ବସାଧାରଣରେ ଦାବୀ ହେବା ସହ ବେଆଇନ ଭାବରେ ଅଧିକ ଅର୍ଥ ଦାବୀ କରୁଥିବା ସେବାକେନ୍ଦ୍ରର ମାଲିକ ଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଏଥିସହ ନୂତନ ଆଧାର ପଞ୍ଜିକୃତ ତଥା ସଂଶୋଧନ ପାଇଁ ସରକାର ସ୍ତିରୀକୃତ କରିଥିବା ଧାର୍ଯ୍ୟ ଦର ଲାଗୁ କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।