Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ୍ ମିଶନ ଶକ୍ତି ଅଧିକାରୀଙ୍କ ମହାଘୋଟାଲା, ୩ ପଂଚାୟତର ମହିଳା ମହାସଂଘ ପକ୍ଷରୁ ଜିଲାପାଳଙ୍କ...

ଧାମନଗର ବ୍ଲକ୍ ମିଶନ ଶକ୍ତି ଅଧିକାରୀଙ୍କ ମହାଘୋଟାଲା, ୩ ପଂଚାୟତର ମହିଳା ମହାସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

22

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ମିଶନ ଶକ୍ତି ଅଧିକାରୀମାନଙ୍କ ଦ୍ୱାରା ପଂଚାୟତ ମହିଳା ମହାସଂଘରେ ହୋଇଥିବା ଆର୍ଥିକ ହେରଫେର, ନିଯୁକ୍ତିରେ ଅନିୟମିତତା, ମହାସଂଘରେ ସଭାନେତ୍ରୀ ଓ ସଂପାଦିକାଙ୍କ ମନମୁଖୀ କାର୍ଯ୍ୟକୁ ପ୍ରଶୟ, ସରକାରୀ ନିୟମ ଉଲ୍ଲଂଘନ କରି ବେଆଇନ୍ ଭାବେ ମହାସଂଘ ପୁର୍ନଗଠନ , ମୋ ବଗିଚାକୁ ବେଆଇନ୍ ଭାବେ ପ୍ରଦାନ କରି ଆର୍ଥିକ ହେରଫେର, କୋଭିଡ୍‌-୧୯ଗରମ ରନ୍ଧା ଖାଦ୍ୟ ହେରଫର ଓ ମହାସଂଘର ଅର୍ଥକୁ ବେଆଇନ୍ ଭାବେ ଉଠାଣ କରିବା ଭଳି ଅନିୟମିତାର ତଦନ୍ତ ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିରୁଦ୍ଧରେ ଆଜି ଭଗବାନପୁର, ବୟାଙ୍ଗଡିହି ଓ ମୁସ୍ତାଫାପୁର ଗ୍ରାମପଞ୍ଚାୟତର ମହିଳା ସଂଘ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ମହାସଂଘ ପକ୍ଷରୁ ସୁବାସିନୀ ନାୟକ, ଜ୍ୟୋସ୍ନାରାଣୀ ନାୟକ, ରାକିବା ବିବି, ମନୋରମା ଜେନା, ଜୟନ୍ତୀ ନାୟକ, ଆବେଦା ବିବି, ବାସନ୍ତୀଲତା ନାୟକ, ରେବତୀ ଦତ୍ତ ପ୍ରମୁଖ ଶତାଧିକ ସଦସ୍ୟା ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଗବାନପୁର ମହିଳା ସଂଘର ସଭାନେତ୍ରୀ ସ୍ୱର୍ଣ୍ଣଲତା ସେନାପତି ଓ ସଂପାଦିକା ପଙ୍କଜିନୀ ପାତ୍ର ମିଳିତ ଭାବେ ବିଭାଗୀୟ ଅଧିକାରୀଙ୍କ ପ୍ରରୋଚନାରେ ବେନିୟମ ଭାବେ ସରକାରୀ ଯୋଜନାକୁ ହଡପ କରିବା, କୋଭିଡ୍‌-୧୯ ଗରମ ରନ୍ଧା ଖାଦ୍ୟ ହେରଫେର, ମହାସଂଘର ଅର୍ଥକୁ ବେନିୟମ ତଥା ଜାଲିଆତି ଦସ୍ତଖତ କରି ଉଠାଣ କରିବା, ନିଯୁକ୍ତି ପ୍ରକ୍ରିୟାରେ ସରକାରୀ ନିୟମକୁ ଉଲ୍ଲଂଘନ କରିବା ତଥା ବହୁ ବେନିୟମ କାର୍ଯ୍ୟକୁ ବ୍ଲକ୍‌ର ବିଭାଗୀୟ ଅଧିକାରୀ ପୀତବାସ ବିଶ୍ୱାଳ ଓ ଅନ୍ୟମାନଙ୍କ ସହଯୋଗ ଯୋଗୁଁ ମହାସଂଘର ସାଧାରଣ ସଦସ୍ୟମାନେ ସରକାରୀ ପ୍ରୋତ୍ସାହନରୁ ବଂଚିତ ହୋଇଥିଲେ ।

ସେହିଭଳି ବୟାଙ୍ଗଡିହ ମହାସଂଘର ସସ୍ମିତା ରାଉଳ ଓ ସଂପାଦିକା ଉପରୋକ୍ତ ଅଧିକାରୀମାନଙ୍କ ସହ ସଂପୃକ୍ତ ରହି ସରକାରୀ ଯୋଜନାରୁ ବଂଚିତ କରାଇଆସୁଛନ୍ତି । ମୁସ୍ତାଫାପୁର ମହିଳା ମହାସଂଘର ସଭାନେତ୍ରୀ ସୁନନ୍ଦ ସାହୁ ମଧ୍ୟ ସଂପୃକ୍ତ ଅଧିକାରୀ ଶ୍ରୀ ବିଶ୍ୱାଳଙ୍କ ସହ ମିଳିତ ହୋଇ ମହାସଂଘର ସଂପାଦିକା ମଂଜୁଲତା ଜେନାଙ୍କ ଅଜାଣତରେ ସରକାରୀ ନିୟମକୁ ଉଲ୍ଲଂଘନ ପୂର୍ବକ ବେଆଇନ୍ ଓ ଜାଲିଆତି କରି ସିଆରପି/ଏମ୍‌ବିକେ/ବ୍ୟାଙ୍କ ମିତ୍ର ନିଯୁକ୍ତି ପ୍ରଦାନ କରିବା ଫଳରେ ମହାସଂଘର ବହୁ ଯୋଗ୍ୟ ପ୍ରାର୍ଥୀ ପରୀକ୍ଷା ଦେବା ଓ ନିଯୁକ୍ତିରୁ ବଂଚିତ ହୋଇଛନ୍ତି । ଅନୁରୂପ ଏହି ମହାସଂଘର ସଭାନେତ୍ରୀ ସୁନନ୍ଦା ସାହୁଙ୍କ ନିଜସ୍ୱ ସ୍ୱସ୍ତି ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁଚରଣ ସାହୁଙ୍କ ସହାୟତାରେ ଅର୍ଥ ଉଠାଣ କରାଯାଇ ତୋଷାରପାତ କରାଯାଇଛି । ଏ ସମସ୍ତ ଦୁର୍ନୀତି ଓ ଜାଲିଆତି ସଂପର୍କରେ ସମସ୍ତ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଇବା ପରେ ତଦନ୍ତର ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ଆଜି ପୂର୍ବ ଘୋଷଣା ମତେ ଏହି ୩ଟି ପଂଚାୟତରେ ଥିବା ମହିଳା ମହାସଂଘର ଉପରୋକ୍ତ ଦୁର୍ନୀତି ଓ ବେନିୟମ କାର୍ଯ୍ୟର ଏକ ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମହିଳା ମହାସଂଘ ଅଧୀନରେ ଥିବା ଶତାଧିକ ଗରିବ, ନିରୀହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପକୃତ ହେବେ ବୋଲି ଜିଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଏହି ଧାରଣା ପରେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ମନୋଜ ପାତ୍ର ଘଟଣାସ୍ଥଳରେ ପହଞ୍ôଚ ଏକ କମିଟି ମାଧ୍ୟମରେ ସମସ୍ତ ଘଟଣାର ତଦନ୍ତ ୧୦ ଦିନ ମଧ୍ୟରେ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଏହା ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.