Home ଜିଲ୍ଲା ପରିକ୍ରମା ଧାମନଗରରେ ମାତିଲେଣି ସାଇବର ଠକ, ପ୍ରସୂତି ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

ଧାମନଗରରେ ମାତିଲେଣି ସାଇବର ଠକ, ପ୍ରସୂତି ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

19

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଧୁଷୁରୀ ଥାନା ଅଧୀନସ୍ଥ ସାହାସପୁର ଗ୍ରାମର ଜଣେ ପ୍ରସୂତି ମହିଳାଙ୍କ ଠାରୁ ସାଇବର ଠକାମୀ ଜରିଆରେ ଟଙ୍କା ଲୁଟ୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗର୍ଭବତୀ ଓ ପ୍ରସୂତି ଅବସ୍ଥାରେ ଅଙ୍ଗନୱାଡି ମାଧ୍ୟମରେ ଛତୁଆ, ସୁଜି, ବେସନ, ମାଣ୍ଡିଆ ଓ ଅଣ୍ଡା ଭଳି ସମସ୍ତ ସରକାରୀ ସହାୟତା ମିଳିବା ନେଇ ଶିଶୁ ବିକାଶ କାର୍ଯ୍ୟାଳୟ ଦ୍ୱାରା ତାହା ପ୍ରଦାନ କରାଯିବା ସହ ତଦାରଖ ହୋଇଥାଏ । ଯାହାକୁ ନେଇ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ସମୟରେ ହିତାଧିକାରୀଙ୍କ ମୋବାଇଲ୍‌କୁ ଫୋନ୍ ଆସିଥାଏ । ଠିକ୍ ସେହିଭଳି ସାହାସପୁର ଗ୍ରାମର ଶଚିକାନ୍ତ ସେଠୀଙ୍କ ପତ୍ନୀ ସ୍ୱପ୍ନାଙ୍କର ଗତ ଅଗଷ୍ଟ ମାସରେ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିବାରୁ ପ୍ରଥମେ ଏଏନଏମ୍ ଦିଦିଙ୍କ ପାଖରୁ ଏକ ଫୋନ୍ କଲ ଆସିଥିଲା । ଦିଦି ପ୍ରଥମେ ଅଙ୍ଗନୱାଡି ଦିଦିଙ୍କୁ ଲାଇନ୍‌କୁ ଆଣିଥିଲେ । ପରେ ତାଙ୍କୁ ଉପର ମହଲରୁ ଫୋନ୍ ଆସିବ, ତମେ କଥା ହୋଇଯିବ ବୋଲି କହିଥିଲେ । କ୍ଷଣିକ ମଧ୍ୟରେ ଏକ ଫୋନ୍ ତାଙ୍କ ନିକଟକୁ ଆସିଥିଲା । ତେଣୁ ସେ ସମସ୍ତଙ୍କୁ କନଫରେନ୍ସ କଲରେ ରଖିଥିଲେ ପ୍ରସୂତି ମହିଳା ସ୍ୱପ୍ନା ।

ଯେଉଁଥିରେ ତାଙ୍କର ପ୍ରସୂତିକାଳୀନ ସମସ୍ତ ବିବରଣୀ ବିଷୟରେ ପଚରାଯିବା ସହ ସରକାରୀ ସହାୟତା ମିଳୁଛି କି ନାହିଁ ପଚରାଯାଇଥିଲା । ପରେ ସମସ୍ତେ ଲାଇନରେ ଥିବାବେଳେ ସେହି ଫୋନ୍‌ରେ ଆଧାର କାର୍ଡ ନଂ ମଗାଯିବା ସହ ତୁମ ମୋବାଇଲ୍‌କୁ ଏକ ଲିଙ୍କ୍ ଯାଇଛି, ତାହା କ୍ଲିକ୍ କରି ଦେଖ, ୧୨ ହଜାର ଟଙ୍କା ଯାଇଛି କି ନାହିଁ । ଏହା ଦେଖିବା ପାଇଁ ପ୍ରସୂତି ମହିଳା ଜଣକ ଏହି ଲିଙ୍କକୁ କ୍ଲିକ୍ କରିଥିଲେ । ହଠାତ୍ ଗୁଗୁଲ ପେ ଆପଟି ଖୋଲିଯାଇଥିଲା । ଏବଂ ଠକ ଜଣକ ବାଲାନ୍ସ ଚେକ୍ କରିବା ପାଇଁ କହିଥିଲେ । ସ୍ୱପ୍ନା ଚେକ୍ କରିବା ପାଇଁ ପିନ୍ ଦେବା ମାତ୍ରେ ହଠାତ୍ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ୨୫ ହଜାର ୯୯୯ ଟଙ୍କା ତାଙ୍କ ଖାତାରୁ କଟିଯାଇଥିବାର ଜଣାପଡିଥିଲା । ତେବେ ସ୍ୱପ୍ନା ଏହା ଯେ ଏକ ସୁପରିକଳ୍ପିତ ସାଇବର କ୍ରାଇମ୍ ବୋଲି ସେ ଜାଣିନଥିଲେ । ଏହି ଘଟଣାକୁ ନେଇ ସ୍ୱପ୍ନା ସେଠୀ ଧୁଷୁରୀ ଥାନାରେ ସଂପୃକ୍ତ ଅଙ୍ଗନୱାଡି ଦିଦି ଓ ଏଏନ୍‌ଏମ୍ ଦିଦିଙ୍କ ନାମରେ ଅଭିଯୋଗ କରିଛନ୍ତି । ସାଇବର ଠକଙ୍କ ସହିତ ଏମାନଙ୍କ ହାତ ରହିଥିବା ନେଇ ଏଥିରେ ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ଅଙ୍ଗନୱାଡି ଦିଦି ଏହାକୁ ଖଣ୍ଡନ କରି ସାଇବର ଠକ ସହ ତାଙ୍କର କୌଣସି ସଂପର୍କ ନାହିଁ । ଉପରିସ୍ଥ ଅଫିସର ବୋଲି ପରିଚୟ ଦେଇଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ସେ ସଫେଇ ଦେଇଛନ୍ତି । ଧୁଷୁରୀ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଯିଏ ଦୋଷୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ୱପ୍ନା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.