Home Top News ଧାନ କ୍ୟୁଣ୍ଟାଲ ପ୍ରତି ୩୦୦୦ଟଙ୍କା ଦରରେ ସବୁ ଚାଷୀଙ୍କ ଠାରୁ ଧାନ କିଣିବା ବନ୍ୟାର ସ୍ଥାୟୀ...

ଧାନ କ୍ୟୁଣ୍ଟାଲ ପ୍ରତି ୩୦୦୦ଟଙ୍କା ଦରରେ ସବୁ ଚାଷୀଙ୍କ ଠାରୁ ଧାନ କିଣିବା ବନ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ସି.ପି.ଆଇ.(ଏମ୍‌) ପକ୍ଷରୁ ଆନ୍ଦୋଳନ ଆହ୍ୱାନ

99

ଭୁବନେଶ୍ୱର ୩/୯ (ଓଡ଼ିଆ ପୁଅ) ଓଡିଶାରେ ଚାଷୀମାନେ ଉତ୍ପାଦିତ ଧାନବିକ୍ରୀ ବେଳେ ଉପଯୁକ୍ତ ଦର ନପାଇବା ଯୋଗୁଁ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ଗଭୀର ହତାଶା ବଢିବାରେ ଲାଗିଛି।

ଚଳିତ ସେପ୍ଟେମ୍ବର ୧ ଓ ୨ ଦୁଇ ଦିନ ଧରି ଭୁବନେଶ୍ୱରଠାରେ ଅନୁଷ୍ଠିତ ପାର୍ଟିର ରାଜ୍ୟ କମିଟି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ସ୍ୱାମୀନାଥନ କମିଟି ସୁପାରିଶ ନକରି ଧାନ ଦର କ୍ୟୁଣ୍ଟାଲ ପ୍ରତି ମାତ୍ର ୧୦୦ଟଙ୍କା ବୃଦ୍ଧି କରି ୨୦୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଣେ ସାର ଦରରେ ୧୦୦୦ଟଙ୍କା ବୃଦ୍ଧି ହୋଇଛି। ସେହିପରି ରାଜ୍ୟ ସରକାର ପୂର୍ବରୁ ବିଧାନସଭାରେ ଏକ ସର୍ବଦଳୀୟ ସଂକଳ୍ପରେ କ୍ୟୁଣ୍ଟାଲ ପ୍ରତି ୨୯୪୦ ଟଙ୍କା କରିବା ପ୍ରସ୍ତାବ ଆଗତ କରି ଚୁପ୍ ବସିଛନ୍ତି। କେରଳ ଇତ୍ୟାଦି କେତେକ ରାଜ୍ୟରେ କେନ୍ଦ୍ରୀୟ ଦର ଉପରେ ବୋନସ ଦିଆଯାଉଥିଲେ ସୁଦ୍ଧା ଓଡିଶାରେ ଗୋଟିଏ ଟଙ୍କା ବୋନସ୍ ଦେଉନାହାନ୍ତି। ସେହିପରି ରାଜ୍ୟରେ ସବୁଚାଷୀଙ୍କ ଠାରୁ ଧାନ କିଣିବାରେ ସରକାର ବିଫଳ ହେଉଛନ୍ତି। ଗତବର୍ଷ ୨ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ବସିଥିଲେ ସୁଦ୍ଧା ସରକାରୀ ମଣ୍ଡିରେ ଧାନ ବିକ୍ରୀ କରିପାରିଲେ ନାହିଁ।

ରାଜ୍ୟର ୭୦ ଭାଗ ଚାଷ ଜମି ଭାଗଚାଷୀମାନଙ୍କ ଦ୍ୱାରା ଚାଷ ହେଉଥିଲେ ହେଁ ସେମାନଙ୍କର ଧାନ ବିକ୍ରୀ ଅଧିକାର ନାହିଁ। ରାଜ୍ୟ ସରକାର ଭାଗଚାଷୀମାନଙ୍କ ପାଇଁ ଏକ ଆଇନ ପ୍ରଣୟନ କରିବା ଓ ସେମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ ଦାବି ଦୀର୍ଘ ଦିନରୁ ହେଉଥିବାବେଳେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ।

ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଲିଟ୍‌ବ୍ୟୁରୋ ସଭ୍ୟ ସୂର୍ଯ୍ୟକାନ୍ତ ମିଶ୍ର ଯୋଗ ଦେଇଥିଲେ ଏବଂ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ରିପୋର୍ଟ ଉପସ୍ଥାପନ କରିଥିଲେ।

ବୈଠକରେ ଗୃହିତ ପ୍ରସ୍ତାବରେ ପ୍ରତିବର୍ଷ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖା ଦେଉଥିଲା ବେଳେ ରାଜ୍ୟ ସରକାର ଚୁଡା, ଗୁଡ ବାଌକ୍ଷଗ୍ଧ;ି ଦେଇ ଉଦ୍ଧାର ଓ ଥଇଥାନ ସମ୍ପର୍କରେ ହାଇଭୋଲଟେଜ ପ୍ରଚାରରେ ପଡୋଶୀ ରାଜ୍ୟମାନଙ୍କୁ ବନ୍ୟା ପାଇଁ ଦାୟୀ କରି ନିଜ କର୍ତ୍ତବ୍ୟ ସାରି ଦେବା ଦୁର୍ଭାଗ୍ୟଜନକ। ଓଡିଶାରେ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ, ବଂଶଧାରା, ନାଗାବଳୀ ଇତ୍ୟାଦି ନଦୀ ଜଳକୁ ବ୍ୟବହାର କରି ପ୍ରକଳ୍ପ ନିର୍ମାଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବ୍ୟର୍ଥ। ଏଣେ ପଡୋଶୀ ରାଜ୍ୟ ଗୁଡିକରେ ସେହି ନଦୀ ଜଳକୁ ବ୍ୟବହାର କରି ପ୍ରକଳ୍ପ ତିଆରି କରୁଛନ୍ତି।

ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ୫୫୦୦୦ କୋଟି ଟଙ୍କା ବ୍ୟୟରେ ଗୋଦଲାବୀ ନଦୀ ଉପରେ ପୋଲାଭରମ ବହୁମୂଖୀ ଜନ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଆଦିବାସୀ ବହୁଳ ଓଡିଶାର ଶେଷ ଜିଲ୍ଲା ମାଲକାନଗିରୀ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ। ସିଲେରୁ ଓ ସାବେରୀ ନଦୀର ଜଳ ସ୍ଥଳ ଭାଗକୁ ପ୍ରବେଶ କରିବା ଯୋଗୁଁ ରାଜ୍ୟର ମାନଚିତ୍ର ବଦଳିବାକୁ ବସିଲାଣି। ରାଜ୍ୟ ସରକାର କେବଳ ସୁପ୍ରୀମ୍ କୋର୍ଟରେ ମକଦ୍ଦମା କରି ଚୁପ୍ ରହିଛନ୍ତି। କେନ୍ଦ୍ର ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ସରକାର ସହିତ ଆଲୋଚନା କରି ଅନ୍ତତଃ ଡ୍ୟାମର ଉଚ୍ଚତା କମ୍ କରିବାକୁ ପ୍ରବର୍ତ୍ତାଇବା ଦିଗରେ ଓଡିଶା ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ରାଜ୍ୟର ଦରଦାମ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହେଉଛି। କେନ୍ଦ୍ର ସରକାର ଚୁଡା, ଗୁଡ, ମୁଢି ପରି ସାଧାରଣ ଖାଦ୍ୟ ସାମଗ୍ରୀ ଉପରେ ଶତକଡା ୫ ଭାଗ ଜିଏସ୍‌ଟି ଲାଗୁ କୁ ବୈଠକରେ ନିନ୍ଦା କରାଯାଇଛି।

ଓଡିଶାରେ ବେକାରୀ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଚାର ଏକ ପ୍ରହସନ ମାତ୍ର। ସି.ଏମ୍‌.ଆଇ.ଇ ଏବଂ ପି.ଏଲ୍‌.ଏଫ୍‌.ଏସ୍‌. ରିପୋର୍ଟ ଅନୁଯାୟୀ ୧୫ ବର୍ଷରୁ ୨୯ ବର୍ଷ ବୟସ୍କ ଯୁବକମାନଙ୍କ ମଧ୍ୟରୁ ଶତକଡା ୩୨.୮ ଭାଗ ଏବଂ ସ୍ନାତ୍ତକ ଓ ଏହାଠାରୁ ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରୁ ଶତକଡା ୮.୯୬ ଭାଗ ବେକାର। ରାଜ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଆଉଟ ସୋର୍ସ ଏବଂ ପାଚିକା ଆଦି ହଜାର ହଜାର ସ୍କିମ୍ ଶ୍ରମିକ ଓ କର୍ମଚାରୀ ସ୍ୱଳ୍ପ ବେତନରେ ନିଯୁକ୍ତ।

ରାଜ୍ୟର ୪୧ଟି ବିଭାଗରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲିପଡିଛି। କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଲକ୍ଷାଧିକ ପଦବୀ ଖାଲି ପଡିଛି। କାଭାଁ ନିଯୁକ୍ତି ଦେଇ ପ୍ରଚାର କରିବା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଛି।

ରାଜ୍ୟର ମୌଳିକ ସମସ୍ୟା ନିରାକରଣ ପାଇଁ ପଦକ୍ଷେପ ନେଇଥିଲେ ରାଜ୍ୟ ବାହାରକୁ ପ୍ରତି ବର୍ଷ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ସ୍ଥାନାନ୍ତରିତ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଉନଥାନ୍ତେ।

ରାଜ୍ୟରେ ସରକାରୀ ମଜୁରୀ ଦୈନିକ ମାତ୍ର ୩୨୪ ଟଙ୍କା। ରାଜ୍ୟର ଅଧିକାଂଶ ଶିଳ୍ପରେ ନିଯୁକ୍ତ ଶ୍ରମିକମାନେ ଆଇନଗତ ମୌଳିକ ଅଧିକାର ପାଉନାହାଁନ୍ତି। ଶ୍ରମ ବିଭାଗ ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଶ୍ରମ ବିଭାଗ ଅଫିସର ଗୁଡିକ ମାଲିକ ଅଫିସରେ ପରିଣତ ହେଲାଣି। ମାଲିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଚ୍ଚ ସ୍ତରରୁ ଚାପ ଦିଆଯାଉଛି। ଓଡିଶାରେ ଜିନ୍ଦଲ, ଆଦାନୀ, ଟାଟା ଭଳି କମ୍ପାନୀମାନେ ସମଗ୍ର ପ୍ରଶାସନ, ପୋଲିସ ଜରିଆରେ ରାଜ୍ୟକୁ ଗ୍ରାସ କରିବାକୁ ବସିଲେଣି। କମ୍ପନୀ ନିମନ୍ତେ ଜମି ଅଧିଗ୍ରହଣ ପୋଲିସ୍ ଓ ପ୍ରଶାସନର ପ୍ରାଥମିକ କାର୍ଯ୍ୟ ହୋଇଛି। ଢିଙ୍କିଆ ଅଞ୍ଚଳରେ ଏଥିପାଇଁ ଶହ ଶହ ପ୍ରତିବାଦକାରୀ ସାଧାରଣ ଲୋକଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ କରି ଆତଙ୍କରାଜ ଚାଲିଛି।

ରାଜ୍ୟରେ ବର୍ଦ୍ଧିତ ଋଣଭାର ଏବେ ୧ ଲକ୍ଷ କୋଟି ଟପିଲାଣି। ମୁଣ୍ଡପିଛା ଋଣଭାର ୨୩ ହଜାର ୭୬୧। ୧୯୯୯-୨୦୦୦ ବେଳେ ଏହା ଥିଲା ୫୦୦୦ଟଙ୍କା। ରାଜ୍ୟ ସରକାରଙ୍କ ୨୨ ବର୍ଷର ଶାସନରେ ଋଣଭାର ବୃଦ୍ଧି ହେଉଛି ଶତକଡା ୩୭୫ ଭାଗ। ଏଣେ ସାହ କମିଶନ ଦର୍ଶାଇଥିବା ୫୬୦୦୦ କୋଟି ଟଙ୍କା ଖଣି ରାଜସ୍ୱ ଖିଲାପକାରୀଙ୍କ ଠାରୁ ଅସୁଲ ପାଇଁ ସରକାର ବିଫଳ।

ଏଣେ ରାଜ୍ୟ ତମାମ ସରକାର ଜମିର ବେଞ୍ଚମାର୍କ ଭାଲୁଏସନ ଶହ ଶହ ଗୁଣ ବୃଦ୍ଧି କରି ଜମି ବିକା କିଣାରେ ଷ୍ଟାମ୍ପ ଖର୍ଚ୍ଚ ଅତ୍ୟଧିକ ପରିମାଣରେ ଆଦାୟ କରୁଛନ୍ତି। ଫଳରେ ସାଧାରଣ ଲୋକ ଜମି କିଣା ବିକାରୁ ବଞ୍ଚିତ। ଜମିର ଖଜଣା ମଧ୍ୟ ଏଥିପାଇଁ ବୃଦ୍ଧି ପାଇଛି।

ଓଡିଶାର ଆଇନ ଶୃଙ୍ଖଳାରେ ଘୋର ଆତ୍ମହତ୍ୟା ତାଲିକାରେ ଦ୍ୱିତୀୟ ରାଜ୍ୟ। ମହିଳା ଶିଶୁ ଅସୁରକ୍ଷିତ। ଚୋରୀ, ହତ୍ୟା, ରାହାଜାନୀ ବଢିବାରେ ଲାଗିଛି। ପୋଲିସ ଓ ପ୍ରଶାସନର ଏକମାତ୍ର କାର୍ଯ୍ୟ ହେଉଛି କମ୍ପାନୀ ଏବଂ ଶାସକ ଦଳର ନେତା ଓ କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିବା।

ଟାଟା କମ୍ପାନୀ ହାତରେ ରାଜ୍ୟର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଟେକିଦେବା ପରେ ଏବେ ପାନୀୟ ଜଳ ଯୋଗାଣକୁ ମଧ୍ୟ ଘରୋଇ କରଣ କରିବା ପାଇଁ ୱାଟକୋ ନାମରେ ଏକ କର୍ପୋରେସନ ସୃଷ୍ଟି ହୋଇଛି। ଫଳରେ ଏତିକି ମାସିକ ଶହ ଶହ ଟଙ୍କା ପାନୀୟଜଳ ଯୋଗାଣ ପାଇଁ ଆଦାୟ ହେବ।

କରୋନା ମହାମାରୀ ବେଳେ ରାଜ୍ୟର ଚଳାଚଳ କରୁଥିବା ଟ୍ରେନ୍‌ଗୁଡିକୁ ବନ୍ଦ କରାଯାଇଥିଲା ଏବଂ ସ୍ୱତନ୍ତ୍ର ଟ୍ରେନ୍ ଆଖ୍ୟା ଦେଇ ଚଢା ଦରରେ ଟିକଟ ଆଦାୟ ହେଉଥିଲା। କେନ୍ଦ୍ର ରେଳବାଇ ବିଭାଗ ବର୍ତ୍ତମାନ ସୁଦ୍ଧା ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯାଉନାହିଁ। ପାସେଞ୍ଜର ଟ୍ରେନ୍ ଗୁଡିକୁ ଏକ୍ସପ୍ରେସ ନାମ ଦେଇ ବର୍ଦ୍ଧିତ ମାହାସୁଲ ଆଦାୟ କରାଯାଉଛି। ପୂର୍ବରୁ ରହଣିଥିବା ଷ୍ଟେସନ ଗୁଡିକରେ ବର୍ତ୍ତମାନ ସୁଦ୍ଧା ଚଳାଚଳ କରୁଥିବା ଟ୍ରେନ୍ ଗୁଡିକ ଷ୍ଟପେଜକୁ ପୁର୍ନବାହାଲ କରାଯାଇନାହିଁ।

ଏହା ବିରୋଧରେ ଆନ୍ଦୋଳନ ପାଇଁ ରାଜ୍ୟ କମିଟି ବୈଠକରେ ଆହ୍ୱାନ କରାଯାଇଛି। ଜୀବନ ଜିବୀକା ସମ୍ପର୍କିତ ପ୍ରସଙ୍ଗଗୁଡିକ ସହିତ ଆର୍‌.ଏସ୍‌.ଏସ୍‌./ବିଜେପିର ଦେଶର ସମ୍ବିଧାନ, ଗଣତନ୍ତ୍ର ହତ୍ୟାକାରୀ କାର୍ଯ୍ୟକ୍ରମ ଏବଂ ବର୍ଦ୍ଧିତ ଏକଛତ୍ରବାଦ ବିରୋଧରେ ରାଜ୍ୟ ତମାମ ପ୍ରଚାର ଅଭିଯାନ ପାଇଁ ନିଷ୍ପତ୍ତି ହୋଇଛି। ବିଜେଡି ଓ ସ୍ୱତନ୍ତ୍ର ସୁବିଧାଭୋଗୀ କର୍ପୋରେଟ୍‌ମାନଙ୍କ ମିଳିତ କୁ ଚକ୍ର ପକ୍ଷରୁ ଦେଶର ସମ୍ପଦ ଲୁଟ ସହିତ ହିନ୍ଦୁତ୍ୱ ରାଷ୍ଟ୍ର ପରିକଳ୍ପନା, ସମ୍ବିଧାନର ସୁରକ୍ଷା ସହ ନିର୍ବାଚିତ ସରକାର ଗୁଡିକୁ ଭାଙ୍ଗିବା ପାଇଁ ବିପୁଳ କଳାଟଙ୍କା ବ୍ୟବହାର ସମ୍ପର୍କରେ ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.