Odiapua.com

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ!ଏବଂ ଏହି ଶୀତଳ ଯୁଦ୍ଧ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ନେଇ ଆଲୋଚନା ହେଉଛି।କିଏ ହେବ ଓଡ଼ିଶା ବିଜେପିର ଚେହେରା, ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ପାର୍ଥି ନେଇ ଏହି ଶୀତଳ ଯୁଦ୍ଧ ଚାଲିଥିବା କୁହାଯାଉଛି।ନିର୍ବାଚନ ନ’ଲଢ଼ି ଏବଂ ନ’ଜିତି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଦୂତିୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇ ପାରିଥିବା ବେଳେ ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି ରାଜନୀତିକୁ ଆସି ଏବଂ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଭୁବନେଶ୍ୱରରୁ ବିଜେପିକୁ ସଫଳତା ଦେଇଥିବା ସତ୍ତ୍ୱେ ଅପରାଜିତା କେନ୍ଦ୍ରମନ୍ତ୍ରୀ ହୋଇପାରିଲେ ନାହିଁ।ଅପରାଜିତାଙ୍କ ପାଖରେ ଏ’ନେଇ ଅବଶୋଷ ରହି ଯାଇଥିବା କୁହାଯାଉଛି।ବୋଧେ ସେଥିପାଇଁ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ଅପରାଜିତା କୁଆଡ଼େ ତାଙ୍କୁ ବାରମ୍ବାର ଫୋନ କରି କିଏ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଏବଂ କିଛି ଫୋନ ଆସିଥିଲା କି ବୋଲି ପଚାରୁଥିଲେ!

ତେବେ, ସେ ଯାହା ହେଉ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଘମାଘୋଟ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଆଲୋଚନା ହେଉଛି।ଧର୍ମେନ୍ଦ୍ର ପ୍ରଧାନ ନୁହେଁ, ଅପରାଜିତା ଷଡ଼ଙ୍ଗୀଙ୍କ ପସନ୍ଦ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ସଭାପତି ଚୟନ ହୋଇଛି ବୋଲି କୁହାଯାଉଛି।ସେହିପରି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ଏହି ଲଢେ଼ଇ କାରଣରୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ହୋଇପାରି ନାହିଁ ବୋଲି ମଧ୍ୟ କୁହାଯାଉଛି।ଏବେ ଏଇ ନିକଟରେ ଉଭୟଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଆଉ କିଛି ଝଲକ୍ ଦେଖିବାକୁ ମିଳିଛି।ଖୋର୍ଦ୍ଧାଠାରେ ପାଇକ ବିଦ୍ରୋହ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।ତେବେ ଏହି ଉପଲକ୍ଷେ ଛପା ଯାଇଥିବା ନିମନ୍ତ୍ରଣ ପତ୍ର ଏବଂ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ବ୍ୟତିତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ପଶୁପାଳନ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ରାଜ୍ୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଥିଲା।କିନ୍ତୁ ନଥିଲା ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କର ନାମ।ହୁଏତ ଅପରାଜିତାଙ୍କ ପାଇଁ ଜିତୁ ମିତ୍ର ବି ବଳି ପଡ଼ିଗଲେ!କିନ୍ତୁ, ଏହାପରେ ଏବେ ନିକଟରେ ଆଉ ଏକ କାର୍ଯ୍ୟକ୍ରମ ହେଲା ବଲାଙ୍ଗିରରେ।କେନ୍ଦ୍ରସରକାରଙ୍କ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ବରକାନୀଠାରେ ପ୍ରତିଷ୍ଠା ହୋଇଥିବା ଦେଶର ୫୩ନମ୍ବର ବଟଲିଂ ପ୍ଲାଣ୍ଟକୁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା।କିନ୍ତୁ ପାଗ ଖରାପ ଯୋଗୁଁ ସେ ଆସି ପାରିନଥିଲେ।ତେଣୁ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।ତେବେ ଏଥିପାଇଁ ପ୍ରସ୍ତୁତ ନିମନ୍ତ୍ରଣ ପତ୍ର ଏବଂ ବିଜ୍ଞାପନରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ ବ୍ୟତିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନାମ ଥିଲା।ଏପରି କିପରି ହେଲା?ଗୋଟିଏ ସ୍ଥାନରେ ସାଂସଦଙ୍କୁ ଗୁରୁତ୍ୱ ଏବଂ ଆଉ ଏକ ସ୍ଥାନରେ ସାଂସଦଙ୍କୁ ଅଣଦେଖା!ଯେତେବେଳେ କି ଉଭୟ ସାଂସଦ ବିଜେପିର!ଏପରି କାହିଁକି?ଏହା ସେହି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପରିଣାମ ବୋଲି କୁହାଯାଉଛି।ମ୍ୟାଡମ୍ ଅପରାଜିତାଙ୍କ ଲୋକ ପ୍ରିୟତା ଏବଂ ତାଙ୍କ ପ୍ରଭାବ ବିସ୍ତାରକୁ ନେଇ କୁଆଡ଼େ ମନ୍ତ୍ରୀ ଡରି ଯାଇଛନ୍ତି ବୋଲି ଆଲୋଚନା ହେଉଛି।ଏମ୍ସ ହସ୍ପିଟାଲରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମଧ୍ୟ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ଛକାପଂଝାର ଝଲକ ଦେଖିବାକୁ ମିଳିଥିଲା।ନିରିଖେଇ ଲକ୍ଷ କଲେ ତାହା ଜଣାପଡ଼ି ଯାଉଛି ବୋଲି କୁହାଯାଉଛି!/-ଦେବଦତ୍ତ ରଥ

ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !