Home ଜିଲ୍ଲା ପରିକ୍ରମା ଦୀର୍ଘଦିନପରେ ମୁସ୍ତଫାପୁର ଅଂଚଳରେ ୨୩ଏକର ଜବରଦଖଲ ଉଚ୍ଛେଦ ଆରମ୍ଭ

ଦୀର୍ଘଦିନପରେ ମୁସ୍ତଫାପୁର ଅଂଚଳରେ ୨୩ଏକର ଜବରଦଖଲ ଉଚ୍ଛେଦ ଆରମ୍ଭ

57

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଦୋବଲ ନିକଟସ୍ଥ ମୁସ୍ତଫାପୁର ପଂଚାୟତର ପ୍ରାୟ ୨୩ଏକର ଜବରଦଖଲ ଜମିର କିଛିଅଂଶ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ପ୍ରକାଶ ଥାଉକି ଦୋବଲ ନିକଟସ୍ଥ ମୁସ୍ତଫାପୁର ଅଂଚଳର ତଥା ଧାମନଗର କଲେଜ ଠାରୁ ଘୋଡ଼ାଗଣ୍ଡ ରାସ୍ତାର ଦୁଇପାଶ୍ୱର୍ରେ ପ୍ରାୟ ୨୩ଏକର ସରକାରୀ ଜାଗାକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘବର୍ଷ ହେବ ଜବରଦଖଲ କରିବା ସହ ସେଠାରେ ସ୍ଥାୟୀ ଦୋକାନ କରି ଭଡ଼ା ଲଗାଇବା ସହିତ ବଡ଼ ବଡ଼ କୋଠା ନିର୍ମାଣ କରି ସେଠାରେ ରହି ଆସୁଥିଲେ । ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସ୍ଥାନୀୟ ଅଂଚଳର ଜୈନିକ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଏନେଇ ଦୁଇମାସ ମଧ୍ୟରେ ଉକ୍ତ ଜବରଦଖଲ ଉଚ୍ଛେଦପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହିତ ସେମାନଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶକୁ ଗ୍ରହଣକରି କିଛିଦିନତଳେ ପ୍ରଶାସନ ଉଚ୍ଛେଦ ପାଇଁ ଉକ୍ତସ୍ଥାନକୁ ଯାଇଥିବାବେଳେ ଥଣ୍ଡା, କାକରରୁ ରକ୍ଷା ପାଇବାପାଇଁ ୨ମାସପରେ ସେମାନେ ନିଜ ନିଜ ଜବରଦଖଲ କରିଥିବା ଦୋକାନ ଗୃହକୁ ଭାଙ୍ଗିଦେବେବୋଲି ପ୍ରତିଶୃତି ଦେବାପରେ ପ୍ରଶାସନ ସେଠାରୁ ପଳାଇଆସିଥିଲା ।

ହେଲେ ପରବର୍ତ୍ତୀ ସମୟରେ ଆଜି ଉଚ୍ଚ ନ୍ୟାୟାଳୟର ନିୟମକୁ ଗ୍ରହଣକରି ସେଠାରେ ଥିବା କିଛିଦୋକାନ ଗୃହକୁ ପ୍ରଶାସନ ଭାଙ୍ଗିଦେଇଥିଲେ । ଏହି ସମୟରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା, ଧାମନଗର ପୋଲିସ ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସମେତ ବିଭିନ୍ନ ଥାନାର ଏଏସ୍‌ଆଇ ଓ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହି ଏହି ଉଚ୍ଛେଦ କାର୍ଯ୍ୟକୁ ସହଯୋଗ କରିଥିଲେ । ତେବେ ୨୩ଏକର ଜାଗା ମଧ୍ୟରୁ ଆହୁରି ବଡ଼ ବଡ଼ ଅଟ୍ଟାଳିକା ଏହି ସରକାରୀ ଜାଗାରେ ରହିଥିବାରୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରାଯାଇ କେବଳ ଲୋକଦେଖାଣିଆ କିଛିଜାଗାକୁ ଉଚ୍ଛେଦ କରାଯାଇଛିବୋଲି ଅଭିଯୋଗ ହୋଇଛି । ତେବେ ଉକ୍ତ ଅଂଚଳର ଏହି ୨୩ଏକର ସରକାରୀ ଜାଗାକୁ ଉଚ୍ଛେଦ କରାଗଲେ ଶହ ଶହ ଲୋକ ସେଠାରେ ଉପକୃତ ହୋଇପାରିବେ ବୋଲି ଆବେଦନ କାରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଆଇନ୍ ଅନୁଯାୟୀ କୋର୍ଟର ନିର୍ଦ୍ଦେଶକୁ ମାନି ଉଚ୍ଛେଦ କରାଗଲାବୋଲି ତହସିଲଦାର ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.