Home ଜିଲ୍ଲା ପରିକ୍ରମା ଦଶମ ବିଶ୍ୱ ବିଶ୍ରାମ ଦିବସ ପାଳିତ

ଦଶମ ବିଶ୍ୱ ବିଶ୍ରାମ ଦିବସ ପାଳିତ

12

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଥିବା “ବିଶ୍ୱ ବିଶ୍ରାମ ଦିବସ” ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ କରାଯାଇଛି । ଅତ୍ୟାଧୁନିକ ଯୁଗରେ ସମାଜ ତଥା ପ୍ରତିଟି ବ୍ୟକ୍ତି ତିଷ୍ଠି ରହିବା ତଥା ବିକାଶ ପଥର ପଥିକ ହେବା ପାଇଁ ସର୍ବଦା କର୍ମତତ୍ପର ରହିବା ପାଇଁ ଚେଷ୍ଟା କରିଥାଆନ୍ତି । ସଂଘର୍ଷମୟ ଜୀବନରେ ଧାଁ ଦଉଡ଼ ଭିତରେ ନିଜେ ନିଜକୁ ଭୁଲିଯାଇ ଅଣନିଃଶ୍ୱାସୀ ହୋଇ ଗତି କରିବା, ସମୟରେ ଭଲମନ୍ଦର ବିଚାର କରିବା ପାଇଁ ସମସ୍ତଙ୍କ ମଧ୍ୟରେ ପ୍ରାୟତଃ ସମୟ ନଥାଏ । କର୍ମମୟ ଜୀବନରେ ବିଶ୍ରାମକୁ ଗୁରୁତ୍ୱ ଦେଇ ୨୦୧୪ ମସିହାଠାରୁ ସମାଜସେବୀ ତଥା ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀ “ବିଶ୍ୱ ବିଶ୍ରାମ ଦିବସ” ପାଳନ କରିଆସୁଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ମଧ୍ୟରେ ତଥା ସମାଜରେ ଥିବା ବିଭିନ୍ନ ବିଯୁକ୍ତାତ୍ମକ ଚିନ୍ତାଧାରାଗୁଡ଼ିକୁ ବିଶ୍ରାମ ଦେଇ ଏକ ନୂତନ ବ୍ୟକ୍ତିତ୍ୱ ତଥା ବିକାଶଶୀଳ ସମାଜ ପାଇଁ ପ୍ରଚେଷ୍ଟା କରିବା । ଏଠାରେ ବିଶ୍ରାମର ଅର୍ଥ କେବଳ ଶୋଇ ରହିବା କିମ୍ବା ତନ୍ଦ୍ରା ମଧ୍ୟରେ ସୀମିତ ନୁହେଁ; ବରଂ ଉଭୟ ତନୁ ଓ ମନକୁ ନୀରବ ନିଶ୍ଚଳ ଭାବେ ରଖି ଆତ୍ମନିରୀକ୍ଷଣ କରିବାର ଅବସର । ଯାହାଫଳରେ ଅତୀତ ଓ ବର୍ତ୍ତମାନକୁ ତର୍ଜମା କରି ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ସୁଯୋଗ ମିଳିପାରିବ । ଚଳିତବର୍ଷ ବିଶ୍ୱ ବିଶ୍ରାମ ଦିବସ ପାଳନ ଭଦ୍ରକ ଡଗମୁଣ୍ଡ କଲୋନୀରୁ ଆରମ୍ଭ କରାଯାଇଥିଲା । ୨୦୨୩ ମସିହାରେ ଉକ୍ତ ଦିବସର ତତ୍ତ୍ୱ ‘ବ୍ୟକ୍ତିତ୍ୱ ବିକାଶରେ ବିଶ୍ରାମର ଭୂମିକା’ ଉପରେ ପର୍ଯ୍ୟବେଶିତ ଥିଲା । ମୋବାଇଲ ଓ ସମ।।ଜିକ ଗଣମାଧ୍ୟମ ଯୁଗରେ ସମସ୍ତେ ବିଭିନ୍ନ ଉଲେକ୍ଟ୍ରୋନିକ୍ସ ଯନ୍ତ୍ରପାତିଠାରୁ ନିଜକୁ ଦୂରେଇ ରଖିପାରିଲେ ହିଁ ଗୁଣାତ୍ମକ ବିଶ୍ରାମ ମିଳିପାରିବ ବୋଲି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ପୂର୍ବରୁ ଉକ୍ତ ଦିବସର ଗୁରୁତ୍ୱ ସମ୍ପର୍କରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଛି । ଉକ୍ତ ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡଗମୁଣ୍ଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ସାହୁ, ପ୍ରଭାତୀ ସିଂ, ଦେବ ମହାକୁଡ଼, କାଳିଆ ସିଂ, ମଞ୍ଜୁ ସିଂ, ମୁନା ସାହୁ, ଗଣେଶ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.