– ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଆହ୍ୱାନ
– ଛାତ୍ର ବୃତି ଦ୍ୱାରା ପ୍ରାୟ ୪ ଲକ୍ଷ ବିଦ୍ୟାର୍ଥୀ ଲାଭାନ୍ୱିତ
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ୨୦୧୪ ମସିହାରେ ଓଡିଶାରେ ୧୬୫୩ଟି ଅତ୍ୟାଚାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୫ ମସିହାରେ ୧୮୧୮, ୨୦୧୬ରେ ୧୭୯୬, ୨୦୧୭ରେ ୧୮୯୩, ୨୦୧୮ରେ ୧୭୭୫ ଓ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦୨ଟି ମାମଲା ପଞ୍ଜିକୃତ ହୋଇଛି। ଦଳିତମାନଙ୍କ ଉପରେ ଅତ୍ୟାଚାର ଘଟଣା ହ୍ରାସ ପାଇଁ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ରାଜ୍ୟରେ ପ୍ରାକ୍ ମାଟ୍ରିକ ବୃତି ଯୋଗୁଁ ୧, ୯୦, ୩୧୪ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ମାଟ୍ରିକ ପରବର୍ତ୍ତୀ ଛାତ୍ର ବୃତିରେ ୨, ୦୩, ୯୬୩ ଜଣ ଉପକୃତ ହୋଇଛନ୍ତି। ପ୍ରାକ୍ ମାଟ୍ରିକ ବୃତି ବାବଦରେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାଟ୍ରିକ ପରବର୍ତ୍ତୀ ଛାତ୍ର ବୃତି ପାଇଁ ୩୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ମୁଦ୍ରା ଯୋଜନାରେ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟରେ ୪୭ ଲକ୍ଷ ୪୮ ହଜାର ଲୋକଙ୍କୁ ଗ୍ୟାସ ସିଲଣ୍ଡର ବିତରଣ କରାଯାଇଛି। ନିକଟରେ କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଯେଉଁ ଶତକଡା ୧୦ ଭାଗ ସଂରକ୍ଷଣ ନୀତି ଘୋଷଣା କରିଛନ୍ତି ତାହାକୁ ସଠିକ ଭାବେ ଲାଗୁ କରିବା ଉପରେ ଶ୍ରୀ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୮, ୫୪, ୧୭୬ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଥିସହିତ ୧୫, ୫୭, ୫୫୮ ହିତାଧିକାରୀ ରାଜ୍ୟରେ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଦଳିତମାନଙ୍କ ଉପରେ ଅତ୍ୟାଚାର ରୋକିବା ସହ ଜାତିଆଣ ଆକ୍ଷେପ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।