– ଆମଦାନୀ ନିର୍ଭରଶୀଳତା ହ୍ରାସ ରଣନୀତି ସୁପାରିସ
– ଗବେଷଣା ଏବଂ ବିକାଶ କେନ୍ଦ୍ର ମଧ୍ୟରେ ସମନ୍ୱୟ, ଟିକସ, ବ୍ୟବସାୟିକ ଆହ୍ୱାନ ଆଦି ପ୍ରସଙ୍ଗର ଅନୁଧ୍ୟାନ
ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ତୈଳ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଗବେଷଣା ଏବଂ ବିକାଶ କେନ୍ଦ୍ର ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା; ଟିକସ ପ୍ରସଙ୍ଗ ତଥା ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତଗୁଡ଼ିକୁ ଜିଏସଟିରୁ ଲାଭ ଆଦି ପ୍ରସଙ୍ଗର ଅନୁଧ୍ୟାନ ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଆଜି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ରିପୋର୍ଟ ଦାଖଲ କରିଛି। ବିଶିଷ୍ଟ ବୈଜ୍ଞାନିକ ଡ. ଅନିଲ କାକୋଦକର ଏବଂ ଆର୍ଥିକ ଓ ଟିକସ ପ୍ରସଙ୍ଗରେ ବିଶେଷଜ୍ଞ ସିଦ୍ଧାର୍ଥ ପ୍ରଧାନଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ମଧ୍ୟ ତୈଳ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଯୁଗ୍ମ ଉପକ୍ରମଗୁଡ଼ିକର ମିଶ୍ରଣକୁ ଅନୁଧ୍ୟାନ କରୁଛି। ଏହାଛଡ଼ା ତୈଳ ସେବା ଏବଂ ସାରା ବିଶ୍ୱର ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରକୁ ଯୋଗ୍ୟ ମାନବ ସମ୍ବଳ ଯୋଗାଣର ଆବଶ୍ୟକତା ଏବଂ ସମ୍ଭାବନାକୁ ଉଜାଗର କରିବା ଦିଗରେ କାର୍ଯ୍ୟ କରୁଛି।
ଇନ୍ଧନ ନିରାପତା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପ୍ରାଥମିକତା। ୨୦୧୮ରେ ଭାରତ ୨୦୪.୯୨ ମେଟ୍ରିକ ଟନ୍ ପେଟ୍ରୋଲିୟମ ଉତ୍ପାଦ ଏବଂ ୫୮.୬୪ ବିସିଏମ ପ୍ରାକୃତିକ ବାଷ୍ପ ଉପଯୋଗ କରିଛି। ଅପରପକ୍ଷରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପର ଘରୋଇ ଉତ୍ପାଦନ ସ୍ଥିର ରହିଛି। ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପର ଆମଦାନୀ ନିର୍ଭରଶୀଳତା ଯଥାକ୍ରମେ ୮୨.୫୯% ଏବଂ ୪୫.୮୯% ରହିଥିଲା। ଯାହା ଆଗାମୀ ଦିନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଇନ୍ଧନ ସୁରକ୍ଷା ଭାରତ ପାଇଁ ଏକ ନିରନ୍ତର ଆବଶ୍ୟକତା।
ଏହାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି ବିଭିନ୍ନ ତୈଳ ଏବଂ ପ୍ରାକୃତିକ ବାଷ୍ପର ଗବେଷଣା ଏବଂ ବିକାଶ ତଥା ତାଲିମ ସଂସ୍ଥାନଗୁଡ଼ିକୁ ପରିଦର୍ଶନ କରିଥିଲା। ତୈଳ କ୍ଷେତ୍ରର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀମାନଙ୍କ ସହିତ ଆଲୋଚନା କରି ବ୍ୟବସାୟ, ଏଥିରେ ରହିଥିବା ଆହ୍ୱାନ ଏବଂ ସମ୍ଭାବନାଗୁଡ଼ିକୁ ବୁଝିବା ଲାଗି ଚେଷ୍ଟା କରିଥିଲା। ଏହାପରେ କମିଟି ଆବଶ୍ୟକ ସୁପାରିସ କରିଥିଲା। କମିଟି ଦାଖଲ କରିଥିବା ଏହାର ରିପୋର୍ଟରେ କେତେକ ସ୍ୱଳ୍ପ, ମଧ୍ୟମ ଏବଂ ଦୀର୍ଘ ଅବଧିର ରଣନୀତି ସମ୍ପର୍କରେ ସୁପାରିସ କରିଛି। ଏଥିରେ ବିଶେଷ କରି ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାର ରଣନୀତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି ପ୍ରସଙ୍ଗରେ ନୀତି ପ୍ରଣୟନ ସମୟରେ ଉଚ୍ଚସ୍ତରୀୟ କମିଟିର ସୁପାରିସଗୁଡ଼ିକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ବିବେଚନା କରିବ ବୋଲି ସୂଚନା ମିଳିଛି।