ଡାକ୍ତରଖାନା, ବିଦ୍ୟାଳୟ ଓ କୃଷି ବଜାର ସହିତ ଗାଁକୁ ଯୋଡ଼ିବା ଲକ୍ଷ୍ୟ୮୦, ୨୫୦ କୋଟି ଟଙ୍କା ବ୍ୟୟରେ ୧, ୨୫, ୦୦୦ କିମି ଗ୍ରାମ ସଡ଼କ ନିର୍ମାଣ ହେବ
ନୂଆଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତିକରଣ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ପିଏମଜିଏୱାଇ ଜାତୀୟ କର୍ମଶାଳା ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମାଂଚଳରେ ୧, ୨୫, ୦୦୦ କିମି ସଡ଼କ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଗ୍ରାମାଂଚଳ ଜନବସତିକୁ ଡାକ୍ତରଖାନା, ଗ୍ରାମୀଣ କୃଷି ବଜାର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ସଂଯୋଗ କରାଯିବ। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ଏହି ଯୋଜନାରେ ୮୦, ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଏଥିମଧ୍ୟରୁ କେନ୍ଦ୍ର ସରକାର ୫୩, ୮୦୦ କୋଟି ଟଙ୍କା ଯୋଗାଇ ଦେବେ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ତୃତୀୟ ପର୍ଯ୍ୟାୟ ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ବ୍ୟୟ ଅନୁପାତ ୬୦:୪୦ ରହିଛି। ଉତରପୂର୍ବ ଏବଂ ହିମାଳୟ ରାଜ୍ୟ ପାଇଁ ଏହି ଅନୁପାତ ୯୦:୧୦ ରଖାଯାଇଛି।
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ତୋମାର କହିଥିଲେ ଯେ ପିଏମଜିଏୱାଇ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏକଦା ଗ୍ରାମାଂଚଳରେ ଭଲ ରାସ୍ତା କଥା କେହି କଳ୍ପନା କରିପାରୁନଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ଓ ସଂକଳ୍ପବଦ୍ଧତା କାରଣରୁ ଆଜି ଗ୍ରାମୀଣ ଭାରତରେ ୬ ଲକ୍ଷ କିମିରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇପାରିଛି। ସାମଗ୍ରିକ ବିକାଶ ଏବଂ ଗ୍ରାମାଂଚଳର ସଶକ୍ତିକରଣରେ ସଡ଼କ ସଂଯୋଗ ବ୍ୟବସ୍ଥାର ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ।
ଗ୍ରାମୀଣ ସଡ଼କ ରକ୍ଷଣାବେକ୍ଷଣ ଲାଗି ସେ ରାଜ୍ୟଗୁଡ଼ିକ ଆହ୍ୱାନ କରିବା ସହିତ ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ୧୬ ଡିସେମ୍ବର ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧, ୫୩, ୪୯୧ଟି ଗ୍ରାମ ରାସ୍ତା କାମ ଶେଷ ହୋଇଛି। ଏହା ମାଧ୍ୟମରେ ଦେଶର ୯୭.୨୭% ଯୋଗ୍ୟ ଓ ବ୍ୟବହାର୍ଯ୍ୟ ଜନବସତିକୁ ଯୋଡ଼ିବା ସହିତ ମୋଟ ୬, ୦୭, ୯୦୦ କିମି ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିମଧ୍ୟରୁ ୩୬, ୦୬୩ କିମି ଲମ୍ବ ସଡ଼କର ନିର୍ମାଣ ସବୁଜ ଜ୍ଞାନକୌଶଳ ଉପଯୋଗ କରି ନିର୍ମାଣ କରାଯାଇଛି, ଯେଉଁଥିରେ ବର୍ଜ୍ୟ ପ୍ଲାଷ୍ଟିକ ଏବଂ କୋଲ୍ଡ ମିକ୍ସ ଟେକନୋଲୋଜି ବ୍ୟବହାର କରାଯାଇଛି।
ଜାତୀୟ ଗ୍ରାମୀଣ ଭିତିଭୂମି ବିକାଶ ସଂସ୍ଥା (ଏନଆରଆଇଡିଏ) ପକ୍ଷରୁ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ବିଭିନ୍ନ ରାଜ୍ୟ, ବୈଷୟିକ ସଂସ୍ଥାନର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମତ ରଖିବା ସହିତ ଆଲୋଚନାରେ ଭାଗ ନେଇଥିଲେ। ଗ୍ରାମୀଣ ସଡ଼କ ରକ୍ଷଣାବେକ୍ଷଣ ଓ ମାନ ବୃଦ୍ଧି, ବର୍ଦ୍ଧିତ ଭିଡ଼ ପାଇଁ ଗ୍ରାମୀଣ ସଡ଼କ ଯୋଜନା, ସଡ଼କ ସୁରକ୍ଷା, ରାସ୍ତା କାମରେ ପ୍ଲାଷ୍ଟିକ ବର୍ଜ୍ୟର ଉପଯୋଗ ଭଳି ନୂଆ ପ୍ରଯୁକ୍ତି ବିଷୟରେ କର୍ମଶାଳାରେ ଆଲୋଚନା ହୋଇଥିଲା।