ଭଦ୍ରକ, ୨୭ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅଧୀନ ତିହିଡ଼ି ଥାନାର କାର୍ଯ୍ୟରତ ତୋଫାନ କୁମାର ପାତ୍ର(୩୬) ନାମକ ଜଣେ କନେଷ୍ଟବଳ ଶନିବାର ରାତିରେ ସରକାରୀ କ୍ୱାର୍ଟରରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ସେ ଥାନା ପରିସରରେ ପରିବାର ସହ ରହୁଥିବା ସରକାରୀ କ୍ୱାର୍ଟରରେ ଫ୍ୟାନରେ ବିଛଣା ଚଦର ସହାୟତାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଘର କେଉଁଝର ଜିଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅଧୀନ ଭଣ୍ଡାରିପଡା ଗ୍ରାମରେ ବୋଲି ଜଣାପଡ଼ିଛି । ସେ ତିହିଡ଼ି ଥାନାରେ ଦୁଇବର୍ଷ ହେବ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଖବରରୁ ଜଣାଯାଇଛି ଯେ ଶନିବାର ରାତିରେ ତୋଫାନଙ୍କ ସହ ତାଙ୍କ ପତ୍ନୀଙ୍କର କୌଣସି କାରଣରୁ କଳହ ଉପୁଜିଥିଲା । ପରେ ତୋଫାନ ଘର ଭିତରେ ପଶି କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ତାଙ୍କ ପତ୍ନୀଙ୍କର ସନ୍ଦେହ ଉପୁଜିଥିଲା । କ୍ୱାର୍ଟର ପାଖରେ ରହୁଥିବା କିଛି ପୋଲିସ କର୍ମଚାରୀଙ୍କୁ ସେ ଡାକିଥିଲେ ଓ ଘଟଣା ସମ୍ପର୍କରେ ଜଣାଇଥିଲେ । କବାଟ ଭାଙ୍ଗି ଭିତରକୁ ଯିବା ପରେ ତୋଫାନ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ପରେ ପୋଲିସ ତାଙ୍କ ମୃତଦେହକୁ ଜବତ କରିବା ସହ କେଶ ନଂ ୩୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପାରିବାରିକ କଳହକୁ ନେଇ ତୋଫାନ କିଛିଦିନ ଧରି ମାନସିକ ଚାପରେ ରହୁଥିଲେ ଏବଂ ସେହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ କନେଷ୍ଟବଳଙ୍କର ଛୋଟ ଛୋଟ ଦୁଇଟି ପୁଅ ଝିଅ ଅଛନ୍ତି ।