ତାଳଚେର,୧୯/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ ସେମାନଙ୍କର ମାସିକ ଦରମା ଏବଂ ବକେୟା ଏରିଅର ପ୍ରଦାନ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଳଚେର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ସଂଘର ସଭାପତି ଧୀର ମୋହନ ରାୟ ଅନୁଗୋଳ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି । ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ମାସ ୨୦୨୦ରୁ ସଫେଇ କର୍ମଚାରମାନେ ଦରମା ନପାଇ ସପରିବାର ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଏବେ କୈାଣସି ବ୍ୟବସାୟୀ ସେମାନଙ୍କୁ ଔଷଧ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସମସ୍ତ ଜିନିଷ ବାକିରେ ଦେବାକୁ ମନା କରୁଛନ୍ତି । ଅଧିକାଂଶ ସଫେଇ କର୍ମଚାରୀ ମଧୁମେହ,ଉଚ୍ଚ ରକ୍ତଚାପ ଓ ଶ୍ୱାସାଦି ରୋଗରେ ପୀଡ଼ିତ ହୋଇ ନିୟମିତ ଔଷଧ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ ସେମାନଙ୍କୁ ଔଷଧ ନ ଖାଇଲେ ଯେ କୈାଣସି ସମୟରେ ସେମାନଙ୍କର ଜୀବନ ଚାଲି ଯିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ସଫେଇ କର୍ମଚାରୀମାନେ ବାରମ୍ବାର ସେମାନଙ୍କର ଅସୁବିଧା ସମ୍ପର୍କରେ ଏଠାରୁ ବଦଳି ହୋଇ ଦେବଗଡ଼ ମ୍ୟୁନିସିପାଲିଟିକୁ ଯାଇଥିବା ପୂର୍ବତନ ପୈାର ନିର୍ବାହୀ ଅଧିକାରିଣୀ ଅତସି ପରିଡ଼ାଙ୍କୁ ଜଣାଇବା ସହ ଦରମା ଓ ବକେୟା ଏରିଅର ପ୍ରଦାନ କରିବାକୁ ଅନେକବାର ନିବେଦନ କରିଥିଲେ ମଧ୍ୟ ଶ୍ରୀମତୀ ପରିଡ଼ା ତାହାକୁ କର୍ଣ୍ଣପାତ କରି ନଥିଲେ । ସରକାର ଗ୍ରାଣ୍ଟ ଦେଇ ନାହାନ୍ତି, ଗ୍ରାଣ୍ଟ ଆସିଲେ ସଫେଇ କର୍ମଚାରୀମାନଙ୍କୁ ଦରମା ଦିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ । ପରବର୍ତୀ ସମୟରେ ତାଳଚେର ମ୍ୟୁନିସିପାଲିଟିର ପ୍ରଶାସକ ଦାୟିତ୍ୱରେ ଥିବା ସ୍ଥାନୀୟ ଉପ ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ ସୁଦ୍ଧା ସଫେଇ କର୍ମଚାରୀଙ୍କୁ ଆଜି ଯାଏଁ ଦରମା ମିଳି ପାରିନାହିଁ । ଚାକିରୀର କାର୍ଯ୍ୟକାଳ ଭିତରେ ପ୍ରଥମ ଥର ପାଇଁ ଚାରି ମାସର ଦରମା ମିଳିଲା ନାହିଁ ବୋଲି କ୍ଷୋଭର ସହ ସଫେଇ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ତେବେ ବିଦାୟୀ ପୈାର ନିର୍ବାହୀ ଅଧିକାରିଣୀ ଅତସି ପରିଡ଼ା ତାଳଚେରରୁ ବଦଳି ହୋଇ ଗଲାବେଳେ ସେ ତାଙ୍କର ସମସ୍ତ ଦରମା ଓ ସପ୍ତମ ବେତନ ଏରିଅର ସମ୍ପୂର୍ଣ୍ଣ ନେଇ ଯାଇଥିବାର ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ତାଳଚେର ମ୍ୟୁନିସିପାଲିଟିର କୈାଣସି କର୍ମଚାରୀ ଦରମା ପାଇ ନଥିବା ବେଳେ ସରକାରଙ୍କର କେଉଁ ଆଇନ ବଳରେ ଶ୍ରୀମତୀ ପରିଡ଼ା ନିଜର ଦରମା ସହିତ ସପ୍ତମ ବେତନ ଏରିଅର ଅର୍ଥ ସମ୍ପୂର୍ଣ୍ଣ ଉଠାଇ ନେବାରେ ସକ୍ଷମ ହୋଇ ପାରିଲେ । ସେହିପରି ତାଳଚେର ମ୍ୟୁନିସିପାଲିଟିର ହିସାବରକ୍ଷକ ଭାବେ କାର୍ଯ୍ୟରତ କର୍ମଚାରୀ ଜଣକ ଶ୍ରୀମତୀ ପରିଡ଼ାଙ୍କ ବିଲକୁ କିପରି ଅନୁମୋଦନ କଲେ, ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ସଫେଇ କର୍ମଚାରୀମାନେ ସେମାନଙ୍କର ବକେୟା ଦରମା ଓ ଏରିଅର ପାଇବା ପାଇଁ ବହୁବାର ନିବେଦନ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ମିଳି ନଥିଲା ବେଳେ ତାଳଚେର ମ୍ୟୁନିସିପାଲିଟିରେ କାର୍ଯ୍ୟରତ ଅଧିକାଂଶ କର୍ମଚାରୀ ସେମାନଙ୍କର ଏରିଅର ବାବଦ ଅର୍ଥ ନେଇ ସାରିଛନ୍ତି, ଯାହା ତଦନ୍ତ କଲେ ସ୍ପଷ୍ଟ ଜଣାପଡ଼ିବ । ଏଣୁ ଉପରୋକ୍ତ ଅମାନବୀୟ ଏବଂ ବେଆଇନ କାର୍ଯ୍ୟ ପାଇଁ ଏଠାରୁ ବିଦାୟ ନେଇଥିବା ପୈାର ନିର୍ବାହୀ ଅଧିକାରିଣୀ ଅତସୀ ପରିଡ଼ା ଏବଂ ତାଙ୍କ ସହଯୋଗ କରିଥିବା ତାଳଚେର ମ୍ୟୁନିସିପାଲିଟିର ହିସାବରକ୍ଷକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଳଚେର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ସଂଘର ସଭାପତି ଧୀର ମୋହନ ରାୟ ଏବଂ ଅନ୍ୟାନ୍ୟ ସଫେଇ କର୍ମଚାରୀମାନେ ଲିଖିତ ଭାବେ ଦାବୀ ଜଣାଇଛନ୍ତି । ଏଥିସହିତ ସଫେଇ କର୍ମଚାରୀମାନଙ୍କ ଦୁଃଖଲାଘବ ପାଇଁ ସେମାନଙ୍କର ମାସିକ ଦରମା ସହିତ ବକେୟା ଏରିଅର ତୁରନ୍ତ ପ୍ରଦାନ କରିବାର ବ୍ୟବସ୍ଥା କରିବା ପାଇଁ ସଂଘ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି । ଉକ୍ତ ପତ୍ରର ଏକାକିତ ନକଲ ତାଳଚେର ମ୍ୟୁନିସିପାଲିଟିର ପ୍ରଶାସକ ଏବଂ ତାଳଚେର ପୈାର ନିର୍ବାହୀ ଅଧିକାରିଣୀଙ୍କୁ ମଧ୍ୟ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।
Home ଅନୁଗୁଳ ତାଳଚେର ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କୁ ଦରମା ଏବଂ ଏରିଅର ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ