Home ଜିଲ୍ଲା ପରିକ୍ରମା ତଳମୁଣ୍ଡରେ ଲଗାଣବର୍ଷା ଓ ସମୁଦ୍ର ଜୁଆରରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ, ଦୁର୍ବଳ ନଦୀବନ୍ଧକୁ...

ତଳମୁଣ୍ଡରେ ଲଗାଣବର୍ଷା ଓ ସମୁଦ୍ର ଜୁଆରରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ, ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ନଦୀକୂଳିଆ, ସୁନ୍ଦରପୁର ଛକରେ ଲହଡି ମାରୁଛି ବର୍ଷାପାଣି

54

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ତିନିଦିନ ଧରି ଲଗାଣ ବର୍ଷା ଓ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲିର ଉପକୂଳବର୍ତ୍ତୀ ଅଂଚଳ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି। ଏପରିକି ଜଳସେଚନ ବିଭାଗର ନିମ୍ନମାନର କାମ ଯୋଗୁଁ ସୁନ୍ଦରପୁର ଠାରୁ ବୋଡକ, ମୁଆଁ ଠାରୁ ତିନିତର, ଶତୀଳପୁର ଠାରୁ ନାନ୍ଦପୁର ଦେଇ ଯାଇଥିବା ଲୁଣାବନ୍ଧର ଅନେକ ସ୍ଥାନ ଦୁର୍ବଳ ରହିଥିବାବେଳେ କେତେକ ସ୍ଥାନରେ ଗର୍ତ୍ତ ଦେଖାଦେଇଥିବାରୁ ସାମ୍ଭାବ୍ୟ ବନ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆବାସୀ। ଲଘୁଚାପ ପ୍ରଭାବରେ ହାଲ୍‌କା ପବନ ସାଙ୍ଗକୁ ତୁହାତୁହା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ବର୍ଷାପାଣି ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚରୁ ଲହଡି ମାରିଥିବାରୁ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତାର ସୁନ୍ଦରପୁର ଛକ ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ଦୋହରା ମଳିକସାହି ନିକଟରେ ବୈତରଣୀ ନଦୀବନ୍ଧ ବର୍ଷାରେ ଅଧିକାଂଶ ଧୋଇଯିବାରୁ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆବାସୀ। ବିଶେଷକରି ପାଣିପାଗ ବିଭାଗ ପକ୍ଷରୁ ଧାମରା ଓ ଚାନ୍ଦବାଲି ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ସତର୍କତା ଜାରି କରାଯିବା ସହ ବିପଦ ସଂକେତ ଦିଆଯାଇଥିବାରୁ ସମୁଦ୍ର ଓ ନଦୀକୁ ମତ୍ସ୍ୟଜୀବୀ ନଯାଇ କୂଳରେ ବସି ରହିଛନ୍ତି। ତାହାସହ କୂଳରେ ଲଙ୍ଗର ପକାଇ ରହିଛି ଶହ ଶହ ମୋଟର ବୋଟ୍ ଓ ଟ୍ରଲର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.