ମୁମ୍ବାଇ ୧୧-୧୦ (ଓଡ଼ିଆ ପୁଅ) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ସୋମବାର ମହାରାଷ୍ଟ୍ର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ୱାନକେଡେ ବର୍ତ୍ତମାନ ମୁମ୍ବାଇର ଡ୍ରଗ୍ସ ମାମଲାର ତଦନ୍ତର ନେତୃତ୍ୱ ନେଉଛନ୍ତି।
ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ସିଭିଲ୍ ପୋଷାକ ପିନ୍ଧିଥିବା ଅନେକ ଲୋକଙ୍କୁ ଭେଟିଥିଲେ ଯେଉଁମାନେ ତାଙ୍କୁ ଅନୁସରଣ କରୁଥିଲେ। ୱାନକେଡେ ତାଙ୍କ ଅଭିଯୋଗ ସହିତ ସିସିଟିଭି ଫୁଟେଜ୍ର ପ୍ରମାଣ ମଧ୍ୟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ଏନସିବି ଦଳର ଅନ୍ୟ ଅଧିକାରୀଙ୍କୁ ଟ୍ରାକ କରାଯାଉଛି।
ସୋମବାର ଏକ ସ୍ୱତନ୍ତ୍ର କୋର୍ଟ କହିଛନ୍ତି ଯେ, ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ଡ୍ରଗ୍ସ ଜବତ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଅକ୍ଟୋବର ୧୩ ରେ ଶୁଣାଣି ହେବ। ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ଜଡିତ ଏହି ମାମଲାରେ କୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କୁ ସେହି ଦିନ ଏହାର ଉତ୍ତର ଦାଖଲ କରିବାକୁ କହିଛନ୍ତି।