Home ଜିଲ୍ଲା ପରିକ୍ରମା ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଜୀବନ, ଭୋକ ଉପାସରେ ୫୫ଦିନରେ ୫୦ଶ୍ରମିକ

ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଜୀବନ, ଭୋକ ଉପାସରେ ୫୫ଦିନରେ ୫୦ଶ୍ରମିକ

177

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧିନସ୍ଥ ବାରାକୋଲ୍‌ହା ଗ୍ରାମର ୫୦ଶ୍ରମିକ ବନ୍ଧା ପଡିଛନ୍ତି ସୂଦୂର ତାମିଲନାଡୁରେ । ଏହି ଶ୍ରମିକ ମାନଙ୍କ ପ୍ରାପ୍ୟ ନେଇ ଠିକାଦାର ଛୁ ମାରି ଗ୍ରାମରେ ବିଳାସ ବ୍ୟସନରେ ଜୀବନ ବିତାଉଥିବା ବେଳେ ୫୦ଶ୍ରମିକ ୫୫ ଦିନ ହେବ ଭୋକ ଉପାସରେ ମା ଓ ଜନ୍ମମାଟିକୁ ଫେରିବା ପାଇ ବ୍ୟାକୁଳ । ଅନ୍ୟ ପକ୍ଷରେ ଏହି ଶ୍ରମିକ ମାନେ କମ୍ପାନୀ ମାଲିକଙ୍କ ନିଯ୍ୟାତନାର ଶିକାର ହେବା ସହ ସେମାନଙ୍କୁ ବନ୍ଦୀ ଜୀବନ ବିତାଉଥିବା ଜଣାଯାଇଛି । ଇଛା ନଥିଲେବି ଭୋକ ଉପାସରେ ମାଲିକର ସମସ୍ତ ନିର୍ଯ୍ୟାତନାକୁ ସହି ଡହଳ ବିକଳ ହୋଇ ନିଜର ଘରକୁ ଖବର ଦେଇଛନ୍ତି ସେମାନଙ୍କୁ ମୁକୁଳାଇବା ପାଇଁ । ଏହି ପିଲା ମାନଙ୍କର ଦୁଃଖ ସହି ନପାରି ୫୦ରୁ ଉର୍ଦ୍ଧ ମହିଳା ବାଂଶଡା ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଜର ପିଲା ମାନଙ୍କୁ ଫେରାଇଆଣିବା ପାଇଁ ମାତ୍ର ପ୍ରଶାସନ ନିଜର ଅକ୍ଷମତା ପ୍ରକାଶ କରି ଉପରକୁ ହାତ ଟେକି ଦେଇଛି । ପ୍ରାପ୍ତ ଖବରରୁ ପ୍ରକାଶ ବାରାକୋଲହା ଗ୍ରାମର ଠିକାଦାର ସଞୟ ଜେନା ଏବଂ ତାଙ୍କ ଭାଇ ଖଜୁଆ ଜେନା ତାମିଲନାଡୁର ତିରିପୁର ଠାରେ ଥିବା ଏକ ସୂତା ମିଲର ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଅଗ୍ରୀମ ଆଣି ୫୦ ଶ୍ରମିକଙ୍କୁ ସେଠାରେ ଦାଦନ ଖଟିବାକୁ ଛାଡିଥବା କହିଛନ୍ତି ସେହି ଗ୍ରାମର ବାସନ୍ତି ଜେନା, ଦୌପଦୀ ଜେନା,ରୁନା ଜେନା, ଦେବକୀ ଜେନା, ଚନ୍ଦ୍ରାବତୀ ଜେନା, କାଂଚନ ଜେନା ପ୍ରମୁଖ । ସାରା ବିଶ୍ୱରେ କରୋନା ପାଇଁ ଲକ ଡାଉନ ଘୋଷଣା ହେବା ପରେ ଏହି ଶ୍ରମିକ ମାନେ ନିଜର ଜନ୍ମ ମାଟିକୁ ଫେରିବାକୁ ଚାହିଁଥିଲେ କିନ୍ତୁ ସୂତା ମିଲର ମାଲିକ ସେମାନଙ୍କୁ ବନ୍ଦୀ କରି ରଖିଥିବା କଥା କହିବା ସହ କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ, ତାଙ୍କର ଠିକାଦାର ଏହି ଶ୍ରମିକଙ୍କୁ ବନ୍ଧା ପକାଇ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା କଥା କହିଥିଲେ । ଏହାଜାଣିବା ପରେ ଶ୍ରମିକ ମାନେ ନିଜ ନିଜର ଘରକୁ ଖବର ପଠାଇ ସେମାନଙ୍କୁ ମୁକୁଳାଇବା ଏବଂ ପଂଚାୟତରେ ଖୋଲିଥିବା ସଙ୍ଗନିରୋଧ କେନ୍ଦ୍ରରେ ସେମାନଙ୍କ ନାମ ରେଜିଷ୍ଟ୍ରସନ କରିବା ପାଇଁ କହିଥିଲେ ।

 

ଶ୍ରମିକ ମାନଙ୍କ ପରିବାର ସଂପୃକ୍ତ ପଂଚାୟତରେ ନିଜର ପୁଅ ଏବଂ ପୁତୁରା ମାନଙ୍କ ନାମ ରେଜିଷ୍ଟ୍ରସନ କରିଥିବା ବେଲେ ଏହି ଶ୍ରମିକ ମାନଙ୍କୁ ମୁକୁଳାଇବା ପାଇଁ ଆଜି ୫୦ଶ୍ରମିକଙ୍କ ମା ମାନେ ଆସି ବାଂଶଡା ଥାନାରେ ଧାରଣା ଦେବା ସହ ସେମାନଙ୍କ ପିଲା ମାନଙ୍କୁ ମୁକୁଳାଇ ଆଣିବା ସହ ନିଜ ଗ୍ରାମର ଠିକାଦାର ସାଜି ଲକ୍ଷାଧିକ ଟଙ୍କା ସୂତା ମିଲର ମାଲିକଙ୍କ ଠାରୁ ନେଇ ଫେରାର ହୋଇଥିବା ୨ଭାଇଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବରେ ଦାବୀ ଜଣାଇଥିଲେ । ବାଂଶଡା ଥାନାଧିକାରୀ କରୁଣାକର ରାଉତ ସେମାନଙ୍କୁ ବୁଝାଇ ସୁଝାଇ ଗ୍ରାମକୁ ବିଦା କରିଥିବା ବେଳେ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଜଣାଇଛନ୍ତି । କେଉଁ ପରିସ୍ଥିତିରେ ଏହି ଶ୍ରମିକ ମାନଙ୍କର ପ୍ରାପ୍ୟ ଏବଂ ଆଡଭାନ୍ସ ଟଙ୍କା ନେଇ ଠିକାଦାର ଛୁ ମାରିଥିବା ବେଳେ ୫୦ଶ୍ରମିକ ମାନଙ୍କୁ ନିଜ ଗ୍ରାମକୁ ଫେରାଇ ଆଣିବା ସହ ଠିକାଦାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ଚର୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.