ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ବଜାରରେ ବିଦ୍ୟୁତ ବତରଣ କମ୍ପାନୀ ଟି.ପି.ଏନ.ଓ.ଡି.ଏଲ. ପକ୍ଷରୁ ଆଜି ବ୍ୟାପକ ଚଢାଉ କରାଯାଇ ସାଢେଚାରିଲକ୍ଷ ଟଙ୍କା ଜରିମାନା ସହ ବହୁ ବିଦ୍ୟୁତ ସାମଗ୍ରୀ ଜବତ କରାଯାଇଛି । ଚଢାଉ ସମୟରେ ୫୫ ଟି ବେଆଇନ ଭାବେ ହୁକପକାଇ ବିଦ୍ୟୁତ ବ୍ୟବହାରକାରୀ ତାର ଆଦି ସାମଗ୍ରୀ ଜବତ କରାଯାଇଛି । ଏଥିସହ ବାଇପାସ କରି ବିଦ୍ୟୁତ ଚୋରି କରୁଥିବା ୧୮ ଜଣ ଘରୋଇ ଉପଭୋକ୍ତାଙ୍କ ଠାରୁ ପ୍ରାୟ ସାଢେଚାରି ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ମଞ୍ଜୁରୀରୋଡ ଅଞ୍ଚଳର ଜନୈକ ବ୍ୟବସାୟୀ ହୁକ ପକାଇ ବିଦ୍ୟୁତ ଚୋରି କରିବା ସହ ବହୁ ବ୍ୟବସାୟୀଙ୍କୁ ମାସିକ ୧୫୦ଟଙ୍କାରେ ବିଦ୍ୟୁତ ବିକ୍ରୟ କରୁଥିବା ଦୃଷ୍ଟିଗୋଚର ହୋଇଥିଲା । ସେ ସମସ୍ତ ବିଦ୍ୟୁତ ସାମଗ୍ରୀ ଜବତ କରାଯିବା ସହ ସଂପୃକ୍ତ ବ୍ୟବସାୟୀଙ୍କ ନାମରେ ଫୌଜଦାରୀ ମାମଲା ଋଜୁ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସେହିପରି ଗତକାଲି ଷୋଳମପୁର ପଞ୍ଚାୟତର ଷୋଳମପୁର, ମଣିନାଥପୁର, ମୁଢାପଦା ଆଦି ଗ୍ରାମରେ ଚଢାଉ କରାଯାଇ ବ୍ୟାପକ ଜରିମାନା ଆଦାୟ କରାଯାଇଥିଲା ବୋଲି ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚଢାଉରେ ବିଭାଗୀୟ ଦୁର୍ନୀତି ନିବାରଣ ନିର୍ବାହୀ ଯନ୍ତ୍ରୀ ଅନନ୍ତ ନାରାୟଣ ସେନାପତି, ବାଣିଜ୍ୟ ଉପ ପରିଚାଳକ ନିହାରକାନ୍ତ ଜେନା, ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ଲାଇନମ୍ୟାନ ସତ୍ୟବ୍ରତ ପଣ୍ଡା, ରଞ୍ଜନ ବେହେରା, ସୁପରଭାଇଜର ଅକ୍ଷୟ ବେହେରା ପ୍ରମୁଖ ସାମିଲ ଥିଲେ । କ୍ରମାଗତ ଭାବେ ଚଢାଉ ଜାରି ରହିବ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହୁରିଆ ପକ୍ଷରୁ ସୂଚନା ଦେଇଛନ୍ତି ।