Home ଓଡ଼ିଶା ‘ଜ୍ୟୋତିଶ୍ରୀ’ ସ୍ୱତନ୍ତ୍ର ସଂଖ୍ୟା ‘୨୦ ବର୍ଷରେ ନବୀନ ରାଜ’ ଉନ୍ମୋଚିତ

‘ଜ୍ୟୋତିଶ୍ରୀ’ ସ୍ୱତନ୍ତ୍ର ସଂଖ୍ୟା ‘୨୦ ବର୍ଷରେ ନବୀନ ରାଜ’ ଉନ୍ମୋଚିତ

146

ଭୁବନେଶ୍ୱର, ୨୫/୦୧ (ଓଡ଼ିଆ ପୁଅ) : ସ୍ଥାନୀୟ ରୋଟାରୀ ଭବନରେ ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ଜ୍ୟୋତିଶ୍ରୀ’ର ଏକାଦଶ ସ୍ୱନକ୍ଷତ୍ର ଅବସରରେ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ’୨୦ ବର୍ଷରେ ନବୀନ ରାଜ’ ଉନ୍ମୋଚନ ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦୁଇ ଦଶନ୍ଧିର ନବୀନ ଶାସନରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ଦାଦନ ସମସ୍ୟା, ରାଜ୍ୟର ଋଣବୋଝ, ମହିଳା ସୁରକ୍ଷା, କୃଷି ଆଦିର ସ୍ଥିତିକୁ ନେଇ ବିଶେଷାଙ୍କ ‘୨୦ ବର୍ଷରେ ନବୀନ ରାଜ’ ଉନ୍ମୋଚିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ରାଜ୍ୟରେ ମୋ ସରକାର, ୫-ଟିର କାର୍ଯ୍ୟାନ୍ୱୟନ ନେଇ ସନ୍ଦେହ ଜାହିର କରିଥିଲେ। ଏହାର ଉଦ୍ଦେଶ୍ୟ ସ୍ୱଚ୍ଛ ଉତ୍ତରଦାୟୀ ପ୍ରଶାସନ ନା ପ୍ରଚାରଧର୍ମୀ ବୋଲି ସେ ପଚାରିଥିଲେ। ଏତଦ୍ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କର ଏକ ଟୋଲ୍ ଫ୍ରି ନଂ ରହିବା ଦରକାର ଏବଂ ଜନସାଧାରଣ ଓ ସରକାର ମଧ୍ୟରେ ଉଭୟ ପକ୍ଷରୁ ଯୋଗାଯୋଗର ସୁବ୍ୟବସ୍ଥା ରହିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମାଟି ତଳ ଖଣିଜ ଖୋଳି ନେବା ବିକାଶ ନୁହେଁ, ମାଟି ଉପରେ ସୁନାର ଫସଲ ଉପୁଜାଇ ସମୃଦ୍ଧି ହାସଲ କଲେ ତାହା ହିଁ ବାସ୍ତବ ବିକାଶ ବୋଲି କହିଥିଲେ।

ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢା ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବେଶ୍ କିଛି ଆପ୍ କରିଥିଲେ ମଧ୍ୟ ସେସବୁର ସଫଳତା ନେଇ ପ୍ରଶ୍ନ ଉଠାଇଥିଲେ।

ଜ୍ୟୋତିଶ୍ରୀର ସ୍ୱନକ୍ଷତ୍ର ଅବସରରେ ବିଧାୟକ ଡ. ବୁଧନ ମୁର୍ମୁ, ପ୍ରଦୀପ ଦିଶାରୀ, ସଂଗୀତ ନିର୍ଦ୍ଦେଶକ ସୋମନାଥ ରାଜଗୁରୁ, ସମାଜସେବୀ ସୁଜାତା ପଶାୟତ, ସମୀର ଚାନ୍ଦ, କଳାହଣ୍ଡି ଜିଲ୍ଲା ସମିତିସଭ୍ୟ ମହାସଙ୍ଘ ସଭାପତି ସଚ୍ଚିଦାନନ୍ଦ ମହାଖୁଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘ଜ୍ୟୋତିଶ୍ରୀ’ ପତ୍ରିକାର ଆଭିମୁଖ୍ୟ ସଂପର୍କରେ ସଂପାଦିକା ଶୁଭଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ସଭାପତିତ୍ୱ କରିଥିଲେ ଏବଂ ପତ୍ରିକାର ପରିଚାଳନା ସଂପାଦକ ସୌଭାଗ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.