ପୁରୀ ୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ନାଁ ପରିବର୍ତ୍ତନ ନୁହେଁ ବରଂ ଏହା ପୂର୍ବରୁ ଶ୍ରୀଜଗନ୍ନାଥ ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ପୁରୀର ଏକାଧିକ ସଂଗଠନ। ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଇତିହାସର ରେକର୍ଡ, ପୁରାଣ ଓ ଶାସ୍ତ୍ର ଆଧାର ଏବଂ ସାଂପ୍ରତିକ ସମୟରେ ନାମ ସଂଯୋଗର ଆଵଶ୍ୟକତା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।ଏ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ଜିଲ୍ଲାପାଳ କହିଛନ୍ତି। ବୁଦ୍ଧିଜୀବୀଙ୍କ ତଥ୍ୟ ଅନୁଯାୟୀ ଇଂରେଜ ଶାସନ ସମୟରେ ୧୮୨୩ ମସିହା ଗ୍ରୁମ୍ସ ରିପୋର୍ଟ ଅନୁଯାୟୀ ଗେଜେଟିୟରରେ ପୁରୀର ନାମ ଜଗନ୍ନାଥ ପୁରୀ ବୋଲି ଉଲ୍ଲେଖ ରହିଥିଲା। ଏହାର ଇତିହାସ ଓ ରେକର୍ଡ ରହିଛି। ସେହିଭଳି ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର ବୋଲି ଉଲ୍ଲେଖ ରହିଛି। ବ୍ରିଟିଶ ଶାସନ ସମୟରେ ଏହି ଜଗନ୍ନାଥ (ପୁରୀ)ନାମକୁ ସଂକ୍ଷିପ୍ତ କରାଯାଇ ପୁରୀ କରାଯାଇଛି। ଭାରତବର୍ଷର ବିଭିନ୍ନ ଧାର୍ମିକ ସ୍ଥାନଗୁଡିକ ପୁରୀ (ନଗରୀ)ଶବ୍ଦ ଯୁକ୍ତ କରାଯାଇଛି। ଦ୍ଵାରିକା, କାଞ୍ଚି, ମାୟା, ଅବନ୍ତିକା ଏହାର ଉଦାହରଣ। ଏହି ଦୃଷ୍ଟାନ୍ତଙ୍କୁ ଗୁରୁତ୍ୱ ଦେଇ ପୁରୀର ନାମରେ ପରିପୂର୍ଣ୍ଣତା ତଥା ଆଧ୍ୟାତ୍ମିକତା ଆଣିବା ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ଦାବି କରିଛନ୍ତି ପୁରୀର ଅନେକ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ।
ଗତକିଛି ଦିନ ହେବ ପୁରୀର ନାଁ ପରିବର୍ତ୍ତନ କିମ୍ବା ପୁରୀ ନାଁ ସହ ଶ୍ରୀଜଗନ୍ନାଥ କିମ୍ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ଦାବି ଜୋର ଧରିଛି। ଅନେକ ଅନୁଷ୍ଠାନ, ବୁଦ୍ଧିଜୀବୀ, ସଂଗଠନ ସହ ରାଜନେତା ଏହାକୁ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଅନୁଷ୍ଠାନ ପରିବର୍ତ୍ତନର ଆବଶ୍ୟକତା ନଥିବା ଯୁକ୍ତି ଦର୍ଶାଇଛନ୍ତି। ଏଭଳିକି ପୁରୀ ଗୋବର୍ଦ୍ଧନ ମଠର ପିଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରଥମ ଏହାର ଆବଶ୍ୟକତା ନଥିବା କହିଥିବାବେଳେ ପରେ ନାମ ସଂଯୋଗ କରାଗଲେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ। ଶ୍ରୀଜଗନ୍ନାଥଙ୍କ ବିନା ପୁରୀ, ଓଡିଶା କିମ୍ବା ଭାରତର ପରିଚୟ ନାହିଁ। ସେ ହିଁ ବିଶ୍ଵଦେବତା। ତେଣୁ ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ମତ ରଖିଛନ୍ତି ଅନେକ। ଐତିହାସିକ, ପୌରାଣିଙ୍କ ଓ ଦେବତାଙ୍କୁ ନେଇ ଧାମ, ସଂସ୍କୃତି, ଇତିହାସ ଓ ସ୍ୱାଭିମାନର ସୁରକ୍ଷା ପାଇଁ ପୁରୀ ନାମ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡିବା ଦାବି ଜୋର ଧରିଛି।









