Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ପରିଷଦ ବୈଠକ

ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ପରିଷଦ ବୈଠକ

17

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ଉପସଭାପତି ତଥା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଭିତ୍ତିଭୂମିର ଉନ୍ନତି ପାଇଁ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଯଥା ସମ୍ଭବ ଶୀଘ୍ର ସମାପ୍ତ କରାଯିବା ଉପରେ ସଭାପତି ଏବଂ ଜିଲ୍ଲାପାଳ ଉଭୟେ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂତନ ଚିକିତ୍ସାଳୟ, ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର ସବୁଗୁଡ଼ିକର ନୂତନ କୋଠା ନିର୍ମାଣ ହେଉ କି ମରାମତି ସମସ୍ତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ବିଶେଷକରି ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଡ୍ରେନେଜ, ବିଦ୍ୟୁତ୍‌, ଜଳଯୋଗାଣ, ପରିମଳ ବ୍ୟବସ୍ଥା ଆଦି ସମସ୍ତ ସୁବିଧା ସଠିକ୍ ଭାବେ ଡାକ୍ତରଖାନା ଗୁଡ଼ିକ ପାଇଁ ଉପଲବ୍‌ଧ କରାଇବାକୁ କୁହାଯାଇଥିଲା। ପ୍ରତିଟି ପ୍ରକଳ୍ପର ନିର୍ମାଣ ଜନିତ ପ୍ରଗତି, ସମସ୍ୟା, ଜାଗା ଚିହ୍ନଟ, ଅର୍ଥ ବ୍ୟବସ୍ଥା, ଟେଣ୍ଡର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ବୈଠକରେ ଉପସ୍ଥିତ ଆର.ଡି., ପି.ଡବ୍ଲ୍ୟୁ.ଡି., ପି.ଏଚ୍‌.ଡି., ଜି.ଇଡି., ବିଦ୍ୟୁତ ଆଦି ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ଏନ୍‌.ଏଚ୍‌.ଏମ୍‌.ର ସହକାରୀ ଯନ୍ତ୍ରୀଙ୍କୁ ଏ ସମସ୍ତ ନିର୍ମାଣାଧୀନ କାର୍ଯ୍ୟର ତ୍ୱରାନ୍ୱିତ କରିବା ଦିଗରେ ତଦାରଖ କରିବା ପାଇଁ କୁହାଯାଇଥିଲା। ସଂପୃକ୍ତ ଅଧିକାରୀମାନେ ଗୁରୁତ୍ୱର ସହ କାମ କରନ୍ତୁ ବୋଲି ଜିଲ୍ଲା ପରିଷଦ ସଭାପତି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପରେ ପରେ ଅନୁଷ୍ଠିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସଭାପତି ହିସାବରେ ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ପ୍ରଦାନରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜାଗା ଚିହ୍ନଟ କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଣି ପରେ ପରେ ଅନୁଷ୍ଠିତ ଜିଲ୍ଲା ଗୁଣାତ୍ମକ ନିଶ୍ଚିତତା କମିଟି ବୈଠକରେ କାୟାକଳ୍ପ ପୁରସ୍କାର ପ୍ରାପ୍ତି ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଡାକ୍ତରଖାନା ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ବନ୍ଧରେ ସମୀକ୍ଷା କରିବା ସହିତ ସେହି ଅନୁଯାୟୀ ପ୍ରୟାସ ଜାରି ରଖିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.