ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ସୁବ୍ରତ ଦାସଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ରବିବାର ନିଯୁକ୍ତି ମିଳିଥିବାରୁ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଶୁଭେଚ୍ଛାଜ୍ଞାପନ କରିଛନ୍ତି। ସର୍ବ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ସାଂସଦ କେ-ସି- ଭେନୁଗୋପାଳଙ୍କ ଦ୍ୱାରା ଜାରୀ ବିଜ୍ଞପ୍ତି ଅନୁଯାୟୀ ସୁବ୍ରତଙ୍କୁ ଏହି ନୂତନ ଦାଇତ୍ୱ ଅର୍ପଣ କରାଯାଇଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉତ୍ସାହିତ ହେବା ସହ ଶ୍ରୀ ଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୧୯୯୭ ମସିହାରେ ୱାର୍ଡ ସଦସ୍ୟ ଭାବେ ପାଟୁଳୀରେ ନାଏବ ସରପଞ୍ଚରୁ ଶ୍ରୀ ଦାସ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟ ୨୦୦୨ ମସିହାରେ ପାଟୁଳୀ ପଞ୍ଚାୟତର ସରପଞ୍ଚ, ୨୦୦୭ ମସିହାରେ ୨୩ ନଂ ଜୋନରୁ ଜିଲ୍ଲା ପରିଷଦ ସଦସ୍ୟ ଓ ୨୦୧୨ ମସିହାରେ ପାଟୁଳୀ ପଞ୍ଚାୟତରୁ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୨ ମସିହାରେ ଅନୁଷ୍ଠିତ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଭାବେ ସିଧାସଳଖ ପ୍ରତିଦ୍ୱନ୍ଦିତାରେ ପରାଜିତ ହୋଇଥିଲେ। ୨୦୧୪ ମସିହାରେ କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାରୁ ସୁବ୍ରତ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଜୟର ନିବଟବର୍ତ୍ତୀ କରାଇ ପାରିଥିଲେ। ଦଳ ପକ୍ଷରୁ ଆସ୍ଥା ପ୍ରକଟ କରି ଭଦ୍ରକ ଜିଲ୍ଲା ସଭାପତି ଦାଇତ୍ୱ ଅର୍ପଣ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ରାଜ୍ୟ ପ୍ରଭାରୀ ତଥା ସାଂସଦ ଡ- ଏ- ଚେଲ୍ଲାକୁମାର, ସର୍ବଭାରତୀୟ ସଭାପତି ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଶ୍ରୀ ଦାସ କୃତଜ୍ଞତା ଅର୍ପଣ କରିଛନ୍ତି। ଏଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ସଭାପତି ପଦ ଗ୍ରହଣ ଏକ ଚ୍ୟାଲେଞ୍ଜ ଓ ଦଳକୁ ଏକତାସୂତ୍ରରେ ବାନ୍ଧି ରଖି କୋଭିଡ ପରିଚାଳନାରେ ଦଳର ଭୂମିକା, କୃଷକ ସମସ୍ୟା, ବେକାରୀ ସମସ୍ୟା, ମେଡିକାଲ ସମସ୍ୟା ସମାଧାନରେ ଦଳ ଲଢୁଆ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ମୁନିସପାଲିଟ ନିର୍ବାଚନରେ କଂଗ୍ରେସ ଦଳକୁ ସଫଳତା ଦେବା ତାଙ୍କର ଅନ୍ୟତମ ପ୍ରାଥମିକ କାର୍ଯ୍ୟ ହେବ ବୋଲି ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଜିଲ୍ଲା କଂଗ୍ରେସ ନବନିଯୁକ୍ତ ସଭାପତି ସୁବ୍ରତ ଦାସଙ୍କୁ ଭଣ୍ଡାରିପୋଖରୀ କର୍ମୀଙ୍କ ଶୁଭେଚ୍ଛା ଜ୍ଞାପନ