ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଋଣ ସଂଯୋଗିକରଣ ଯୋଜନାରେ ହିତାଧିକାରୀମାନଙ୍କ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନ କରାଯିବାକୁ ଆଜି ଟାଉନ୍ ହଲ ପରିସରରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ଋଣ ସଂଯୋଗ ମେଳା ଅନୁଷ୍ଠିତ ହୋଇଯାଇଛି । ଲିଡ଼୍ବ୍ୟାଙ୍କ ଅଫିସ୍, ୟୁକୋବ୍ୟାଙ୍କ ଭଦ୍ରକ ଦ୍ୱାରା ଭଦ୍ରକ ଜିଲ୍ଲା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭଦ୍ରକ ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ ଏବଂ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ୟୁକୋ ବ୍ୟାଙ୍କ ବାଲେଶ୍ୱର ଜୋନ୍ର ଆଞ୍ଚଳିକ ମୁଖ୍ୟ ଲଲାଟେନ୍ଦୁ ବେହେରା, ନାବାର୍ଡ଼ର ଡ଼ି.ଡ଼ି.ଏମ୍. ପ୍ରମୋଦ କୁମାର ବେହେରା, ଡ଼ି.ପି.ଏମ୍ ମିଶନ ଶକ୍ତି ସଂଜୟ ବାରିକ୍ ଏହି କାର୍ଯ୍ୟକ୍ରମ ଆୟୋଜକ ଏଲ.ଡ଼ି.ଏମ୍., ଭଦ୍ରକ ନାଗେଶ୍ୱର ରାଓ ପ୍ରମୁଖ ଅତିଥି ମାନଙ୍କ ସହ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗୀୟ ସରକାରୀ କର୍ମଚାରୀ, ଜିଲ୍ଲାର ସମସ୍ତ ବ୍ୟାଙ୍କର୍ସ, ବ୍ୟାଙ୍କ ପ୍ରତିନିଧି, ଋଣ ହିତାଧିକାରୀ ମାନେ ଯୋଗ ଦେଇଥିଲେ । ଋଣ ଗ୍ରହୀତା ମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ୧୦,୨୩୯ ହିତାଧିକାରୀଙ୍କୁ ସମୁଦାୟ ୧୧୭ କୋଟି ୭ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ସୂଚନା ଦିଆଯାଇଥିଲା ।
କେତେଜଣ ହିତାଧିକାରୀଙ୍କୁ ମାନ୍ୟବର ସାଂସଦ ଏବଂ ବିଧାୟକ ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ । ସମୁଦାୟ ମଞ୍ଜୁର ହୋଇଥିବା ଋଣ ଅର୍ଥ ମଧ୍ୟରେ ଏସ୍.ବି.ଆଇ ପକ୍ଷରୁ ୨୧ କୋଟି ୪୩ ଲକ୍ଷ, ୟୁକୋ ବ୍ୟାଙ୍କ ପକ୍ଷରୁ ୮ କୋଟି ୮୬ ଲକ୍ଷ, ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ପକ୍ଷରୁ ୧୧ କୋଟି ୧୨ ଲକ୍ଷ, ବିବିସିସି ବ୍ୟାଙ୍କ ଲିମିଟେଡ଼୍ ପକ୍ଷରୁ ୧୭ କୋଟି ୭ ଲକ୍ଷ ଏହି ଦ୍ୱିତୀୟ ଦଫାରେ ଋଣ ମଞ୍ଜୁର କରାଯାଇଥିବା ସୂଚନା ଦିଆଯାଇଥିଲା । ବିଶେଷ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନାର ଋଣ ବ୍ୟବସ୍ଥା, ଆର୍ଥିକ ସହାୟତା ନେଇ ସଚେତନତା ବୃଦ୍ଧି, ଆର୍ଥିକ ସଂଯୋଗୀକରଣ ଡ଼ିଜିଟାଲ ବ୍ୟାଙ୍କ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ପ୍ରଭୃତି ସାମାଜିକ ସାମାଜିକ ସୁରକ୍ଷା ଯୋଜନା ତାଲିକା ଭୁକ୍ତ ହେବା, ଏମ୍.ଏସ୍.ଏମ୍.ଇ, କୃଷି, ପାଇକାରୀ ବ୍ୟବସାୟ, ଖାଉଟି ଋଣ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆଦି ସମ୍ବନ୍ଧରେ ହିତାଧିକାରୀ ମାନଙ୍କୁ ସଚେତନ କରାଯାଇଥିଲା । ଋଣ ପାଇଁ ବ୍ୟାଙ୍କକୁ ଆସୁଥିବା ହିତାଧିକାରୀ ମାନେ ହଇରାଣ ନ ହେବା ପାଇଁ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ କରିବା ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ । ସେହିପରି ଗୁଗୁଲପେ କିମ୍ବା ସାଇବର ଠକାମିରେ ଶିକାର ନହେବା ପାଇଁ ସାଂସଦ ଉପସ୍ଥିତ ସମସ୍ତ ଋଣ ଗ୍ରହୀତା ମାନଙ୍କୁ ପରାମର୍ଶ ଦେଇଥିଲେ ।








