Home ଜିଲ୍ଲା ପରିକ୍ରମା ଜିଲା ପ୍ରଶାସନର ଅବ୍ୟବସ୍ଥା, ୧୦ ବର୍ଷ ଧରି ଗୋଟିଏ ଅଫିସ୍‌ରେ ଗାଦି ମାଡି ବସିଛନ୍ତି ବହୁ...

ଜିଲା ପ୍ରଶାସନର ଅବ୍ୟବସ୍ଥା, ୧୦ ବର୍ଷ ଧରି ଗୋଟିଏ ଅଫିସ୍‌ରେ ଗାଦି ମାଡି ବସିଛନ୍ତି ବହୁ କର୍ମଚାରୀ

41

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ କର୍ମଚାରୀମାନେ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଅଛନ୍ତି । ଫଳରେ ଜିଲାର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱେଚ୍ଛାଚାରିତା ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର ମଧ୍ୟରେ ପ୍ରଶାସନ ଡୁବିଯାଇଛି । ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଦୂର ହେଉନାହିଁ । ଦପ୍ତର ଗୁଡିକରେ ଦେଣନେଣ କାରବାର ବଢିଚାଲିଛି । ବିନା ଅର୍ଥରେ ଦୀର୍ଘବର୍ଷ ଧରି ଗାଦି ମାଡିବସିଥିବା ସରକାରୀ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଛନ୍ତି । ୩ ବର୍ଷରୁ ଉର୍ଦ୍ଧ୍ୱ ଧରି କୌଣସି କର୍ମଚାରୀ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମାରେ ରହିଛି । ପ୍ରତିବର୍ଷ ସରକାର ଏହି ନିୟମକୁ ଲାଗୁ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥାଏ । ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ପ୍ରଶାସନ ଗୁରୁତ୍ୱ ଦେଇନଥାଏ । ତେବେ ଏହି ନିର୍ଦ୍ଦେଶନାମା ଫାଇଲ୍ ତଳେ ଚାପି ହୋଇ ରହିଯାଏ । ଚଳିତବର୍ଷ ଏହି ନିର୍ଦ୍ଦେଶନାମା ମଧ୍ୟ ଗତ ତା ୨୧.୦୪.୨୦୨୩ ରିଖ ଚିଠି ନଂ ୧୪୧୦୧ ଜରିଆରେ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଯେଉଁ ଅଫିସର ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ହେଡ୍ କ୍ଲର୍କ, ସିନିୟର କ୍ଲର୍କ, ଜୁନିୟର କ୍ଲର୍କ, ଆର.ଆଇ., ଏ.ଆର.ଆଇ. ଓ ଅମିନ ଯେଉଁମାନେ ୩ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସିଟ୍ / ବ୍ରାଞ୍ଚ / ଅଫିସ୍‌ରେ କାମ କରିଆସୁଥିବେ, ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏହି ବଦଳି ଆଦେଶ ୧୫ ଏପ୍ରିଲ ଠାରୁ ୧୫ ଜୁନ୍ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଚଳିତବର୍ଷ ଜିଲାପାଳ ଏହି ନିର୍ଦ୍ଦେଶନାମାକୁ ଗୁରୁତ୍ୱ ଦେଇଥିବାର ଜଣାଯାଇଛି । ଯେଉଁ ସରକାରୀ କର୍ମଚାରୀମାନେ ପ୍ରଶାସନର ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ୩ ବର୍ଷରୁ ଉର୍ଦ୍ଧ୍ୱ ଧରି କାମ କରିଆସୁଛନ୍ତି, ସେ ସଂପର୍କରେ ଏକ ରିପୋର୍ଟ ପ୍ରଦାନ ପାଇଁ ଗତକାଲି ଜିଲା ଏଷ୍ଟାବିଲ୍ସମେଣ୍ଟ ସେକ୍ସନକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ, ଡିଆରଡିଏ, ଜିଲା ପଂଚାୟତ କାର୍ଯ୍ୟାଳୟ, ଜିଲା ସମାଜ ମଙ୍ଗଳ, ଜିଲା ମଙ୍ଗଳ କାର୍ଯ୍ୟାଳୟ, ବିଚାର ବିଭାଗ (ଜୁଡିସିଆରି), ଜେନେରାଲ ମିସ୍‌, ସ୍ୱଳ୍ପ ସଂଚୟ, ଜିଲା ଭୂଅର୍ଜନ କାର୍ଯ୍ୟାଳୟ, ନିର୍ବାଚନ କାର୍ଯ୍ୟାଳୟ ସହ ବିଭିନ୍ନ ତହସିଲର କର୍ମଚାରୀମାନେ ୨୦୧୧, ୨୦୧୨ ଓ ୨୦୧୩ ରୁ ନିର୍ଦ୍ଦିଷ୍ଟ ଗୋଟିଏ ଅଫିସ୍ / ବିଭାଗରେ ବହୁ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିବାର ବିଶେଷ ସୂତ୍ରରୁ ଜଣାଯାଇଛି । ବିଶେଷକରି ତହସିଲ ଅଫିସ ଗୁଡିକରେ ବହୁ କର୍ମଚାରୀ, ଆର.ଆଇ., ଏଆରଆଇ, ଅମିନ ଦୀର୍ଘବର୍ଷ ଧରି କାମ କରିଆସୁଥିବାରୁ ସ୍ୱେଚ୍ଛାଚାରିତା ବୃଦ୍ଧି ପାଇବା ସହ ଦୁର୍ନୀତି ଓ ଅନିୟମିତତାର ସୀମା ଟପିଯାଇଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଜିଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ୍‌ରେ ୧୦ ବର୍ଷ ଧରି ୩ ଜଣ, ରେଭିନ୍ୟୁରେ ଜଣେ, ଏଷ୍ଟାବିଲ୍ସମେଣ୍ଟରେ ୫ ଜଣ, ଜୁଡିସିଆଲରେ ୭ ଜଣ, ନିଜାରତରେ ଜଣେ, ନିର୍ବାଚନରେ ଜଣେ, ଭୂଅର୍ଜନ କାର୍ଯ୍ୟାଳୟରେ ୨ ଜଣ, ଏମରଜେନ୍ସିରେ ଜଣେ, ଜିଲା ମଙ୍ଗଳ କାର୍ଯ୍ୟାଳୟରେ ୨ ଜଣ, ଯୋଗାଣ ବିଭାଗରେ ୨ ଜଣ, ପଞ୍ଚାୟତ କାର୍ଯ୍ୟାଳୟରେ ୨ ଜଣ, ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଜଣେ, ଡିଆରଡିଏରେ ୩ ଜଣ, ଏହିଭଳି ବହୁ କର୍ମଚାରୀ ୧୦ ବର୍ଷ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.