ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ସବୁଠି ଲାଗି ରହିଛି ପାର୍କିଂ ଓ ଟ୍ରାଫିକ୍ ସମସ୍ୟା । ଏଥିରୁ ବାଦ୍ ଯାଇନି ଜିଲା ମୁଖ୍ୟ ଚିକିତ୍ସାଳୟ । ଯେଉଁଠାରେ କି ଅବସ୍ଥା ଉତ୍କଟ ଆକାର ଧାରଣ କରିଛି । ଏହାଦ୍ୱାରା ଆମ୍ବୁଲାନ୍ସ ପରି ଏକ ଜରୁରୀ ସେବା ଗଭୀର ଭାବେ ବାଧାପ୍ରାପ୍ତ ହେଉଥିବା ନଜରକୁ ଆସୁଛି । ବିଶେଷକରି ପାର୍କିଂ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ସଚେତନ ଥିଲେ ମଧ୍ୟ ଅସହାୟ ହୋଇ ପଡୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିୟୋଜିତ ସିକ୍ୟୁରିଟି କର୍ମଚାରୀ ମଧ୍ୟ ଭିଡ ନିୟନ୍ତ୍ରଣ କରିପାରୁନାହାଁନ୍ତି । ଅପରପକ୍ଷେ ପାର୍କିଂ ବ୍ୟବସ୍ଥା କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ବିକଳ୍ପ ନାହିଁ । ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ସେବା ବହୁ ସମୟରେ ପ୍ରଭାବିତ ହେଉଛି । ସୂଚନାଯୋଗ୍ୟ ଭଦ୍ରକ ଜିଲା ଚିକିତ୍ସାଳୟ ଉପରେ ଜିଲାର ୭ଟି ବ୍ଲକ୍ ସମେତ ଆଉ କେତେକ ଜିଲାର ପ୍ରାୟ ୨୦ ଲକ୍ଷରୁ ଅଧିକ ରୋଗୀ ନିର୍ଭରଶୀଳ । ଉକ୍ତ ହସ୍ପିଟାଲର ବର୍ହି ବିଭାଗରେ ୨ ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ନିଜର ନାମ ପଂଜିକରଣ କରିଥାନ୍ତି । ସେହିପରି ୨ ଶହରୁ ଅଧିକ ରୋଗୀ ଅନ୍ତଃ ବିଭାଗକୁ ଆସିଥାନ୍ତି । ଅନ୍ତଃ ବିଭାଗର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ଆବଶ୍ୟକତା ପଡୁଥିବାବେଳେ ବର୍ହି ବିଭାଗ ରୋଗୀ ଆଟୋ ଓ ବାଇକ୍ ଜରିଆରେ ଆସିଥାନ୍ତି । ଏହାବ୍ୟତୀତ କେତେକ ଡାକ୍ତର ନିଜର କାର୍ ନେଇ ଆସୁଥିବାବେଳେ ମେଡିକାଲରେ କାର୍ଯ୍ୟରତ ୨ ଶହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ବାଇକ୍ ଯୋଗେ ଆସିଥାନ୍ତି । ଜିଲା ଚିକିତ୍ସାଳୟ ପରିସର ଖୁବ୍ ସଂକୀର୍ଣ୍ଣ ।
ଏହି ସୀମିତ ସ୍ଥାନ ମଧ୍ୟରେ ଏ ସମସ୍ତ ବାଇକ୍, କାର, ଆମ୍ବୁଲାନ୍ସ ରଖିବା ଅସମ୍ଭବ ହୋଇପଡୁଛି । ସେଠାରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ପାଇଁ ଏହି ଭିଡ ଆହ୍ୱାନ ସୃଷ୍ଟି କରୁଛି । ଯାବତୀୟ ଉଦ୍ୟମ ସତ୍ୱେ ସେମାନେ ଭିଡ ନିୟନ୍ତ୍ରଣ କରିପାରୁନାହାଁନ୍ତି କିମ୍ବା ପାର୍କିଂ ବ୍ୟବସ୍ଥା କରିପାରୁନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଜିଲା ଚିକିତ୍ସାଳୟକୁ ଆସୁଥିବା ଓ ବାହାରକୁ ରେଫର ହେଉଥିବା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ବହୁ ସମୟ ଧରି ଭିଡ ମଧ୍ୟରେ ଫସି ରହୁଛି । ବିଶେଷକରି ପୂର୍ବାହ୍ନ ୯ ରୁ ୧୨ଟା ପର୍ଯ୍ୟନ୍ତ ଏହି ଭିଡ ଦେଖିବାକୁ ମିଳୁଛି । ଜିଲା ଚିକିତ୍ସାଳୟ ପାର୍କିଂ ସ୍ଥାନ କହିଲେ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନା, ଟିକେଟ୍ କାଉଣ୍ଟର ସମ୍ମୁଖ, ସ୍ତ୍ରୀ ଓ ଶିଶୁ ରୋଗ ବିଭାଗ ଆଗରେ ଥିବା ଏକ ସ୍ଥାନ ଓ ଟ୍ରମା କେୟାର ୟୁନିଟ୍ ପାଖରେ କିଛି ସ୍ଥାନ ରହିଛି । ଏ ସମସ୍ତ ସ୍ଥାନରେ ଅତି ବେଶିରେ ୨ ଶହ ବାଇକ୍ ରହି ପାରିବ । କିନ୍ତୁ କୌଣସି କାର କିମ୍ବା ଆମ୍ବୁଲାନ୍ସ ରହିବାକୁ ଜାଗା ନାହିଁ । ତେଣୁ ସ୍ୱାଭାବିକ୍ ଭାବରେ ମେଡିକାଲ ପରିସରରେ ପାର୍କିଂ ସମସ୍ୟା ଉତ୍କଟ ଆକାର ଧାରଣ କରିଛି । ଯେପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ନୂତନ ବିଲ୍ଡିଂକୁ ସ୍ଥାନାନ୍ତର ନହୋଇଛି, ସେପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବ । ଅପରପକ୍ଷେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପାର୍କିଂ ଓ ଟ୍ରାଫିକ୍ ଦାୟିତ୍ୱ ଏକ ସିକ୍ୟୁରିଟି ସଂସ୍ଥା ଉପରେ ଛାଡିଦେଇ ଚୁପ୍ ବସିଛନ୍ତି । କାରଣ ତାଙ୍କ ନିକଟରେ କୌଣସି ବିକଳ୍ପ ନାହିଁ ।