Home ଜିଲ୍ଲା ପରିକ୍ରମା ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ବହୁ ରୋଗୀ ମୃତ୍ୟୁମୁଖରେ

ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ବହୁ ରୋଗୀ ମୃତ୍ୟୁମୁଖରେ

29

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରତି ସରକାର ଗୁରୁତ୍ୱ ଦେଇଆସୁଥିବାବେଳେ ଭଦ୍ରକ ଜିଲାରେ ଏହାର ଘୋର ବ୍ୟତିକ୍ରମ ଦେଖାଦେଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ଆପତ୍ତି ଅଭିଯୋଗ କଲେ ବିଭାଗୀୟ ଟେକ୍‌ନିକାଲ ଟର୍ମରେ ରୋଗୀଙ୍କ ଅଭିଭାବକଙ୍କୁ ଭୁଆଁ ବୁଲାଉଛନ୍ତି । ଅପରପକ୍ଷରେ ସାଧାରଣ ରୋଗରେ ପୀଡିତ / ପୀଡିତାମାନଙ୍କୁ ଚିକିତ୍ସା ନିମନ୍ତେ ଉଦ୍ୟମ ଜାରିନରଖି କଟକ ରେଫର କରି ଦାୟିତ୍ୱ ହଟାଇଦେଉଛନ୍ତି । ଗତକାଲିର ସାପ କାମୁଡା ରୋଗୀଙ୍କ ମୃତ୍ୟୁକୁ ମିଶାଇ ଏହି ଏକମାସ ମଧ୍ୟରେ ଅନ୍ୟ ଦୁଇଜଣ ସାପ କାମୁଡା ରୋଗୀଙ୍କ ଚିକିତ୍ସା ଅବହେଳାରୁ ସମୁଦାୟ ୩ ଜଣଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ଆସିଛି । ସେହିଭଳି ଆଗରପଡା ଅଂଚଳର ଜଣେ ମହିଳା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ଗତକାଲି ରାତିରେ ମୃତ୍ୟୁହେବା ଘଟଣା ସହର ତଥା ଜିଲାବାସୀଙ୍କ ମନରୁ ମେଡିକାଲ ପ୍ରତି ଆସ୍ଥା ତୁଟିଯାଉଛି । ଗତକାଲି ଗୁରୁବାର ତିହିଡି ବ୍ଲକ୍ ଅଂଚଳର ଜଣେ ମହିଳା ସାପ କାମୁଡିବା ପରେ ଚିକିତ୍ସା ପାଇଁ ଆସିଥିଲେ । ତେବେ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହେବା ପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ଘଟଣାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିଭଳି ଆଜି ଆଗରପଡା ଅଂଚଳର ଜଣେ ପ୍ରସୂତି ମହିଳା ଫ୍ୟାମିଲି ପ୍ଲାନିଂ ଅପରେସନ ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ମୃତଦେହକୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମ୍ବୁଲାନ୍ସରେ ରଖି ତାଙ୍କ ସ୍ୱାମୀ ଯଶୋବନ୍ତ ବାରିକ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଆଜି ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।

ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାଉନ୍ ଥାନା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଲିସ୍ ମୁତୟନ କରାଯାଇଥିଲା । ମୃତ ପତ୍ନୀଙ୍କ ସ୍ୱାମୀ ଶ୍ରୀ ବାରିକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଶ୍ୱଶୁରଘର ଆଗରପଡାରେ ଥିବାବେଳେ ଗତ ୨୫ ତାରିଖରେ ଆଶାକର୍ମୀଙ୍କ ଜରିଆରେ ସେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଆଣି ଆଗରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସାମାନ୍ୟ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ଆଉଥରେ ଅପରେସନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଅପରେସନ ସଫଳ ନହେବାରୁ ତାଙ୍କ ପତ୍ନୀଙ୍କୁ କଟକ ସ୍ଥାନାନ୍ତର କରିଥିଲେ । କଟକରେ ଗତକାଲି ରାତି ୧୨ ଟା ସମୟରେ ମୃତ୍ୟୁ ଘଟିଥିଲା । ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଫେଡେରେସନ ଅଫ୍ ହ୍ୟୁମାନ୍ ରାଇଟସ୍ ପ୍ରୋଟେକସନ୍ କାଉନ୍‌ସିଲ୍ ଓଡ଼ିଶା କ୍ଷୀତିଶ ସାମନ୍ତ ବେହେରା ଆଜି ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଲିଖିତ ପତ୍ର ଦେଇଛନ୍ତି । ଏହି ଲିଖିତ ପତ୍ରରେ ଦର୍ଶାଯାଇଛି ଯେ ବର୍ଷାଋତୁରେ ବିଲବାଡି କାମ ସମୟରେ ସାପମାନଙ୍କ ଦୌରାତ୍ମ୍ୟ ବଢିଥାଏ । ଲୋକମାନଙ୍କ ଅସାବଧାନତା ପାଇଁ ସାପ କାମୁଡାର ଶୀକାର ହୋଇଥାନ୍ତି । ଠିକ୍ ଏହି ସମୟରେ ଯଦି ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିବେ, ଆଜିର ସମାଜ ମେଡିକାଲ ଉପରୁ ଆସ୍ଥା ତୁଟାଇ ପୂର୍ବ ଅନ୍ଧବିଶ୍ୱାସ ଗୁଣିଗାରେଡି ପ୍ରଥାକୁ ଆପଣାଇନେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅବହେଳା କରିଥିବା ମୁଖ୍ୟ ଚିକିତ୍ସାଳୟଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଏହି ଘଟଣାର ତଦନ୍ତ ଆସନ୍ତା ୫ ଦିନ ମଧ୍ୟରେ ସାର୍ବଜନୀନ କରାନଗଲେ ସଂଗଠନ ପକ୍ଷରୁ କଳାବ୍ୟାଚ୍ ଧାରଣ କରି ସାମ୍ବିଧାନିକ ପ୍ରକ୍ରିୟାରେ ମୌନ ଅବସ୍ଥାରେ ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ କରିବାକୁ ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.