ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଜିପିୟୁକୁ ୫-ଟି ଆକାଂକ୍ଷା ବିଦ୍ୟାଳୟରେ ରୂପାନ୍ତରିକରଣ କାର୍ଯ୍ୟ ଅନୀୟମିତତା ବିରୋଧରେ ହୋଇଥିବା ଅଭିଯୋଗର ବିଚାର କରି ନିଷ୍ପତ୍ତି ଶୁଣାଇବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ସାନଶାସନ ପଞ୍ଚାୟତ ତେନ୍ତୁଳିଆ ଗ୍ରାମର ରଞ୍ଜୁସ୍ମୀତା ଦାସ ଓ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗ୍ରାମର ଶ୍ରୀମତୀ ବେହେରାଙ୍କ ଦ୍ୱାରା ଋଜୁ ମାମଲାର ଶୁଣାଣୀ କରି ଜିଲ୍ଲାପାଳଙ୍କୁ ଆଗାମୀ ତିନି ମାସ ମଧ୍ୟରେ ଅଭିଯୋଗର ଫଇସଲା କରିବାକୁ ଆଦେଶ ଦେଇଥିବା ଜଣାଯାଇଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିଲେ ବି ଅନଭିଜ୍ଞ ବ୍ୟକ୍ତିମାନେ କାର୍ଯ୍ୟ ହାତେଇନେଇ ଅର୍ଥ ଚଳୁ କରି ଦେଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଥିଲା । ଅଜୟ କୁମାର ସାହୁ, ଗଦାଧର ସାହୁ, ସୁବାସ କୁମାର ସେନାପତି, ପ୍ରଫୁଲ୍ଲ ମହାନ୍ତି, ନିରଞ୍ଜନ ଜେନା ପ୍ରମୁଖ ବହୁ ଅଭିଯୋଗକାରୀ ଗତ ସେପ୍ଟେମ୍ବର ୨୭ ତାରିଖରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।
ପଞ୍ଚମ କେନ୍ଦ୍ରୀୟ ଅର୍ଥ ଯୋଜନା ଓ ୧୫ତମ ରାଜ୍ୟ ଅର୍ଥ ଯୋଜନାରୁ ମୋଟ ପନ୍ଦରଲକ୍ଷ ଟଙ୍କା, ମୋ ସ୍କୁଲ ଯୋଜନାରୁ ତିରିଶ ଲକ୍ଷ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରୁ ଷୋହଳ ଲକ୍ଷ ଆଦି ମୋଟ ୬୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବମ ଓ ଦଶମ ଅତ୍ୟାଧୁନିକ ଶ୍ରେଣୀ କକ୍ଷ ଦ୍ୱୟ ନିର୍ମାଣ, ବିଜ୍ଞାନ ପ୍ରୟୋଗଶାଳା, ଅତ୍ୟାଧୁନିକ ପାଠାଗାର, ବାଳକ ଓ ବାଳିକା ଶୌଚାଳୟ ଦ୍ୱୟ ନିର୍ମାଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଖେଳପଡିଆ ଉନ୍ନତିକରଣ ଓ କ୍ରୀଡା ସୁଯୋଗ ସୃଷ୍ଟି, ରୋଷେଇଶାଳା, ଭୋଜନକକ୍ଷ ନିର୍ମାଣ, କୋଫରୀ, ଉଦ୍ୟାନ ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ପାଇଁ ବିଭାଗୀୟ ଭାବେ କନିଷ୍ଠ ଯନ୍ତ୍ରୀଙ୍କୁ ଦାଇତ୍ୱ ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ମାତ୍ର ଏହି ସମସ୍ତ କାର୍ଯ୍ୟକୁ ଅନଭିଜ୍ଞ ବ୍ୟକ୍ତିମାନେ ରାଜନୈତିକ ଚେଲାଚାମଣ୍ଡା ସାଜି ନିମ୍ନମାନର କାର୍ଯ୍ୟକରି ବିଲ ନେଇଯାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା । ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ନିର୍ମାଣର ମାନ ତଦାରଖ କରୁନାହାନ୍ତି । ଫଳରେ ଭବିଷ୍ୟତରେ କେମଳମତି ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସାଜିପାରେ ବୋଲି ଆଶଙ୍କା କରାଯାଇଥିଲା । ପୁନଶ୍ଚ କାର୍ଯ୍ୟଯୋଗୁଁ ବାହାରୁଥିବା ପୁରୁଣା ଇଟା ଆଦି ସାମଗ୍ରୀକୁ ସଂପୃକ୍ତ ବ୍ୟକ୍ତିମାନେ ବିଦ୍ୟାଳୟରୁ ଲୁଟି ନେଇଯାଉଛନ୍ତି ଓ ସ୍ଥାନୀୟ ଲୋକେ ପ୍ରତିବାଦ କଲେ ଧମକଚମକ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇ ଥିଲା । ଏବେ ସେହି ଅଭିଯୋଗର ତଦନ୍ତ ହେବା ପାଇଁ ନ୍ୟାୟିକ ଆଦେଶ ହୋଇଛି ।