କୋରାପୁଟ ୦୪-୦୩(ଓଡିଆ ପୁଅ /ରଂଜନ ଦାସ) ପଟ୍ଟାଙ୍ଗୀ ପୋଲିସ ଦ୍ୱାରା ଗତ ମଙ୍ଗଳବାର ଜବତ କରା ଯାଇଥିବା ୭କୋଟି ୯୦ ଲକ୍ଷ ଟଙ୍କାର ଜାଲନୋଟ ଘଟଣାରେ ଗିରଫ ଜଣେ ଅଭିଯୁକ୍ତକୁ ପୋଲିସ ୫ଦିନ ରିମାଣ୍ଡରେ ନେଇଥିବା ଜଣାପଡିଛି । ଅଭିଯୁକ୍ତ ରବୀନ୍ଦ୍ର କୁମାର ମନୋହରକୁ ଅଧିକ ପଚରା ଉଚୁରା କରିବାକୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ପଟ୍ଟାଙ୍ଗୀ ପୋଲିସ କୋରାପୁଟ ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲା । ହେଲେ ମାନ୍ୟବର ଏସଡିଜେଏମ ଆବେଦନର ବିଚାର କରି ମନୋହରକୁ ମାର୍ଚ୍ଚ୪ରୁ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ବୋଲି ସରକାରୀ ଓକିଲ ପି.କେ.ପାଢୀ ସୂଚନା ଦେଇଛନ୍ତି ା ରିମାଣ୍ଡ ସମୟରେ ପୋଲିସ ମନୋହରକୁ ବିଶାଖାପାଟଣା ଓ ରାୟପୁରକୁ ନେଇ ତଦନ୍ତ କରିବ ବୋଲି ଜଣାପଡିଛି । ସୂଚନା ଥାଉକି ୨ତାରିଖ ସକାଳେ ସୁଙ୍କି ପୋଲିସ ସିଜି-୦୪ଏଲଏସ ୦୫୪୫ ନମ୍ବର ଥିବା ଏକ ଫୋର୍ଡ ଫିଗୋ କାରକୁ ସୁଙ୍କିରେ ଅଟକାଇ ଚେକିଂ କରିଥିଲେ । ଯାଂଚ ସମୟରେ କାରର ପଛ ସିଟରେ ୨ଟି ଓ ଡିକିରେ ୨ଟି ଚାବି ଦିଆ ଯାଇଥିବା ଟ୍ରୋଲି ବ୍ୟାଗ ଦେଖିବାକୁ ପାଇ ସେଗୁଡିକ ଖୋଲି ଦେଖିଥିଲେ । ସବୁ ଟ୍ରୋଲି ବ୍ୟାଗରେ ୫୦୦ ଟଙ୍କିଆ ବେଣ୍ଡେଲ ଥିବା ଦେଖିବାକୁ ପାଇ ପୋଲିସ ଟିମ ପଟ୍ଟାଙ୍ଗୀ ଥାନା ଅଧିକାରୀଙ୍କୁ ସୂଚନା ଦେବା ସହ ଉକ୍ତ କାର ଓ ଟଙ୍କା ବ୍ୟାଗ ଜବତ କରିଥିଲେ ଓ କାରରେ ଥିବା ତିନିଜଣକୁ ଗିରଫ କରି ନେଇଥିଲେ । କାରରୁ ଜବତ ସମସ୍ତ ଟଙ୍କା ଜାଲନୋଟ ବୋଲି ଗିରଫ ତିନିଜଣ ପୋଲିସକୁ ସୂଚନା ଦେବାସହ ରାୟପୁରରୁ ବିଶାଖାପାଟଣା ନିଆଯାଉଥିବା ସୂଚନା ମଧ୍ୟ ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଟଙ୍କା ଗଣା ଯାଇଥିଲା । ୪ଟି ବ୍ୟାଗରେ ଥିବା ୧୫୮୦ ବଣ୍ଡେଲରେ ମୋଟ ୭କୋଟି ୯୦ ଲକ୍ଷ ର ଜାଲନୋଟ ଥିବା ଜଣା ପଡିବା ପରେ ପୋଲିସ ଉକ୍ତ ଜାଲନୋଟ ସହ ସମ୍ପୃକ୍ତ କାର ,ନଗଦ ୩୫ ହଜାର ଟଙ୍କା,୫ଟି ମୋବାଇଲ ଫୋନଏବଂ କ୍ରେଡିଟକାର୍ଡ,ଡେବିଟକାର୍ଡ ଦବତ କରିଥିଲା ଓ ରବୀନ୍ଦ୍ର କୁମାର ମନୋହର ସମତ ତିନିଜଣକୁ ଗିରଫ କରିଥିଲା ।