Home ଜିଲ୍ଲା ପରିକ୍ରମା ଜାତୀୟ ସ୍ତରରେ ବ୍ରୋଞ୍ଜପ୍ରାପ୍ତ ଓଡ଼ିଶା ସିପକ୍ ଟାକ୍ରୋ ଟିମ୍‌ରେ ଥିବା ଭଦ୍ରକ ରୁ ୨ଜଣ ଖେଳାଳୀ...

ଜାତୀୟ ସ୍ତରରେ ବ୍ରୋଞ୍ଜପ୍ରାପ୍ତ ଓଡ଼ିଶା ସିପକ୍ ଟାକ୍ରୋ ଟିମ୍‌ରେ ଥିବା ଭଦ୍ରକ ରୁ ୨ଜଣ ଖେଳାଳୀ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ

15

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପକ୍ ଟାକ୍ରୋ କ୍ରୀଡ଼ାରେ ଗୋଆ ଠାରେ ଗତ ୩୦-୧୦-୨୩ରୁ ଆରମ୍ଭ ହୋଇଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ରାଜ୍ୟସ୍ତରୀୟ ଦଳରେ ଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରୁ ୨ଜଣ ଖେଳାଳୀ ଉକ୍ତ ପ୍ରତିଯୋଗିତାରେ କ୍ରୀଡ଼ା ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଏହି ଦୁଇ ଖେଳାଳୀ ହେଲେ ଚାନ୍ଦବାଲି ମହାବିଦ୍ୟାଳୟରେ +୩ କଳାରେ ଅଧ୍ୟୟନ କରୁଥିବା ଛାତ୍ରୀ ରୂପାଲି ସାହୁ ଏବଂ ଗାୟତ୍ରୀ ସାହୁ । ସୂଚନାଯୋଗ୍ୟ କି ଗତ ୩-୧୧-୨୩ରେ ଅନୁଷ୍ଠିତ ଖେଳରେ ଓଡ଼ିଶା ଟିମ୍ କେରଳ ଦଳକୁ ପରାସ୍ତ କରି ବ୍ରୋଞ୍ଜ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଭଦ୍ରକ ଜିଲ୍ଲାର ଉକ୍ତ ଦୁଇଜଣ ଖେଳାଳୀଙ୍କୁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଆଗାମୀ ଦିନରେ ଖେଳି ରାଜ୍ୟ ପାଇଁ ରୌପ୍ୟ, ସ୍ୱର୍ଣ୍ଣ ପଦକ ଜିଣି ଜିଲ୍ଲାର ଗୌରବ ବଢ଼ାଇବା ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡ଼ାଧିକାରୀ ପଦ୍ମନ ରାୟଙ୍କ ସହିତ ଦୁଇ ଖେଳାଳୀଙ୍କ କୋଚ ଚାନ୍ଦବାଲିର ଲକ୍ଷ୍ମୀପ୍ରିୟା ନାୟକ, ସିପକ୍ ଟାକ୍ରୋ କ୍ରୀଡ଼ାର ଭଦ୍ରକ ଜିଲ୍ଲା ସେକ୍ରେଟାରୀ ତଥା ଓଡ଼ିଶା ରାଜ୍ୟର ଉପସଭାପତି ଚାନ୍ଦବାଲିର ଶୁଭ ଦର୍ଶନ ମହାନ୍ତି ଏବଂ ଉପଦେଷ୍ଟା ଚାନ୍ଦବାଲିର ତାରାପଦ ମହାନ୍ତି ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କୋଚ୍ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ଆନ୍ତର୍ଜାତିକ ଖେଳାଳୀ ଭାବେ ଭାରତ ତରଫରୁ ଥାଇଲାଣ୍ଡରେ ୨୦୧୧ ମସିହାରେ ଏହି ସିପକ ଟାକ୍ରୋ ଖେଳରେ ଅଂଶ ଗ୍ରହଣ କରି ଭାରତୀୟ ଦଳକୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସଦ୍‌ଭାବନା ସଭାଗୃହରେ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.