Home ଜିଲ୍ଲା ପରିକ୍ରମା ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

35

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ସହକାରୀ ମତ୍ସ୍ୟ ଅଧିକାରୀ ଭଣ୍ଡାରିପୋଖରୀ ବ୍ଲକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ମତ୍ସ୍ୟ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ଆତ୍ମନିର୍ଭର ଶୀଳ କରିବାର ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୭-୧୮ ରୁ ନିଜସ୍ୱ ବ୍ୟୟରେ ‘ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା’ ଯୋଜନା (ମତ୍ସ୍ୟ ପୋଖରୀ ଯୋଜନା) କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଚାଷର ବିକାଶ, ମତ୍ସ୍ୟ ଉତ୍ପାଦନର ବୃଦ୍ଧି ସହ ଆଗ୍ରହୀ ମତ୍ସ୍ୟଚାଷୀ / ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ନୂଆ ପୋଖରୀ ଖନନରେ ଓ ଇନପୁଟ ସବସିଡ ସହିତ ହେକ୍ଟର ପ୍ରତି ୮.୫୦ ଲକ୍ଷ ଟଙ୍କା ପ୍ରକଳ୍ପ ମୂଲ୍ୟ ଉପରେ ୫୦ ପ୍ରତିଶତ ସହାୟତା ରହିଛି । ସେହିପରି ୨ ଲକ୍ଷ ୫୦ ହଜାର ପ୍ରକଳ୍ପ ମୂଲ୍ୟରେ ୫୦ ପ୍ରତିଶତ ସହାୟତା ଓ ହେକ୍ଟର ପ୍ରତି ୨ ଲକ୍ଷ ୫୦ ହଜାର ପ୍ରକଳ୍ପ ମୂଲ୍ୟର ଆଙ୍ଗୁଳିକା ଯାଆଁଳ ଉତ୍ପାଦନ ପାଇଁ ୫୦ ପ୍ରତିଶତ ସହାୟତା ରଖାଯାଇଛି । ସର୍ବନିମ୍ନ ୦.୨ ହେକ୍ଟର ଓ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଜଳରାଶି କ୍ଷମତା ଥିବା ଅଂଚଳରେ ମତ୍ସ୍ୟ ଚାଷ ପୋଖରୀ ଖୋଳିପାରିବେ । ସେହିପରି ଆମ ରାଜ୍ୟ ଓଡ଼ିଶାର ଉପକୂଳ ଅଂଚଳରେ ଖାର ଜଳରେ ଚିଙ୍ଗୁଡି ଚାଷ ଓ ମାଛ ଚାଷ ଜୀବିକା ନିର୍ବାହର ଏକ ମୁଖ୍ୟ ପନ୍ଥା ।

ତେବେ ଗତ କିଛିବର୍ଷ ଧରି ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ବହୁ ଚାଷୀ କ୍ଷତିଗ୍ରସ୍ତ ହେବାରୁ ଏହାକୁ ପ୍ରତିହତ କରି ପରିବେଶ ସୁରକ୍ଷା ସହ ଚିଙ୍ଗୁଡି ଚାଷରୁ କିଭଳି ଲାଭ ପାଇବେ, ସେଥିପାଇଁ ସରକାରଙ୍କ ନିୟମାବଳୀ ସଂପର୍କରେ ମତ୍ସ୍ୟ ଅଧିକାରୀ ଶ୍ରୀ ନାୟକ ସୂଚନା ପ୍ରଦାନ କରିଥିଲେ । ଏହି ନିୟମାବଳୀକୁ ମାନି ଚାଷୀମାନେ ଚିଙ୍ଗୁଡି ଚାଷ କରିବା ପାଇଁ ପରାମର୍ଶ ସଭାରେ ଦିଆଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲା ଉଦ୍ୟାନ ଅଧିକାରୀ ବିଦ୍ୟୁତ୍ କୁମାର ସାହୁ ଯୋଗଦେଇ ମତ୍ସ୍ୟ ଏବଂ ଉଦ୍ୟାନ କ୍ଷେତ୍ରରେ ଚାଷୀମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାର ଜଣେ ମତ୍ସ୍ୟ ଉଦ୍ୟୋଗୀ ଦୀପକ କୁମାର ସ୍ୱାଇଁ ଯୋଗଦେଇ ନିଜର ଅନୁଭୂତି ବାଣ୍ଟିଥିଲେ । ଅନୁଷ୍ଠିତ ସଭାରେ ଲକ୍ଷ୍ମୀନାରାୟଣ ଏସ୍‌ଏଚ୍‌ଜି ବନ୍ତ ବ୍ଲକ୍ ଅଗ୍ରଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ଶ୍ରୀମତୀ କଲ୍ୟାଣୀ ବେହେରାଙ୍କୁ ମତ୍ସ୍ୟ ଚାଷ କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା । ସେହିପରି ବାୟୋ ଫ୍ଲପ୍ (ଜୈବ କୁଣ୍ଡ) ଦ୍ୱାରା ବୈଷୟିକ ଜ୍ଞାନ ପଦ୍ଧତିରେ ଉନ୍ନତମାନର ଚାଷକରି ଆତ୍ମନିର୍ଭର ଶୀଳ ହୋଇ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଶ୍ରୀମତୀ ଟି.ଏସ ମାହେଶ୍ୱରୀଙ୍କୁ ସମ୍ମାନିତ କରାଯାଇଥିଲା । ଭଦ୍ରକ ବ୍ଲକ୍‌ର ଅଗ୍ରଣୀ ମତ୍ସ୍ୟ ଚାଷୀ ବିଜୟନନ୍ଦ ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକ୍ ସହକାରୀ ମତ୍ସ୍ୟ ଅଧିକାରୀ ଗୀତାଞ୍ଜଳି ବେହେରା, ବାସୁଦେବପୁର ବ୍ଲକ୍‌ର ସହକାରୀ ମତ୍ସ୍ୟ ଅଧିକାରୀ ଲକ୍ଷ୍ମୀରାଣୀ ମାରାଣ୍ଡି, ଧାମନଗର ବ୍ଲକ୍‌ର ଆୟୁଷ୍ମାନ କର, ତିହିଡି ବ୍ଲକ୍‌ର ହିମାଦ୍ରୀ ଭୂଷଣ ପଣ୍ଡା, ଭଦ୍ରକ ବ୍ଲକ୍‌ର ରଂଜନ କୁମାର ଗିରି, ସହକାରୀ ମତ୍ସ୍ୟ ଅଧିକାରୀ ରୁତୁପର୍ଣ୍ଣା ସାମଲ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜାନକୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.