Home ଜିଲ୍ଲା ପରିକ୍ରମା ଜଳର ସୁବିନିଯୋଗ କରାଯିବା ଦିଗରେ ପାଣି ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ...

ଜଳର ସୁବିନିଯୋଗ କରାଯିବା ଦିଗରେ ପାଣି ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

63

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀକେନାଲ ବିଭାଜନ ଆନୁକୂଲ୍ୟରେ ଚଳିତ ଜାନୁୟାରୀ ମାସ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ପାଣି ପଞ୍ଚାୟତ ପକ୍ଷ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଶାଳପଡ଼ା ଇରିଗେସନ ସର୍କଲର ଅତିରିକ୍ତ ଯନ୍ତ୍ରୀ ବାବୁଲାଲ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ସାଳନ୍ଦୀ କେନାଲର ଅଧୀକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ନଦୀରେ ନଦୀବନ୍ଧ ଜରିଆରେ ବନ୍ୟା ନିୟନ୍ତ୍ରଣ ଓ ଜଳବିନିଯୋଗରେ କିପରି ସଫଳତା ମିଳୁଛି, ପାଣି ପଞ୍ଚାୟତ ଦ୍ୱାରା ଜଳ ପରିଚାଳନା ଜରିଆରେ କିପରି ଜଳର ସୁବିନିଯୋଗ କରାଯାଇ କୃଷି ଓ କୃଷକର ଉନ୍ନତି କରାଯାଇ ପାରୁଛି ସେ ଦିଗରେ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ସାମଲ ଆଲୋକପାତ କରିଥିଲେ । ବିଶେଷ କରି ଭଦ୍ରକ ଜିଲ୍ଲାରେ ଧାନ ଚାଷ ପରେ ଅନେକ ଜମି ପଡ଼ିଆ ରହୁଥିବାରୁ ପାଣି ପଞ୍ଚାୟତ ଦ୍ୱାରା ଯୋଜନାବଦ୍ଧ ଭାବେ ଅଧିକରୁ ଅଧିକ ଜମିକୁ ଜଳଯୋଗାଇ ଦ୍ୱିତୀୟ ଫସଲ ଅମଳ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ, ପାଣି ପଞ୍ଚାୟତ ସଦସ୍ୟମାନଙ୍କୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ସାଳନ୍ଦୀ କେନାଲ ଡ଼ିଭିଜନ୍ ଦ୍ୱାରା କେନାଲ ବନ୍ଧ ରାସ୍ତା ନିର୍ମାଣ ଓ ଗୁଜିଦରଡ଼ା ଠାରେ ୬କୋଟି ଟଙ୍କାରେ ନିର୍ମିତ ଜଳଭଣ୍ଡାର ଜନସାଧାରଣଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଛି ବୋଲି ପ୍ରକାଶ କରିବା ସହିତ ପାଣି ପଞ୍ଚାୟତ ଜରିଆରେ କୃଷକର ଆୟ ବଢ଼ିଲେ ରାଜ୍ୟର ଆୟ ବଢ଼ିବ ବୋଲି କହିଥିଲେ । ଏହି ପକ୍ଷପାଳନ ଅବସରରେ ଜଳ ସଂରକ୍ଷଣ ଓ ଜଳର ସଦ୍‌ବ୍ୟବହାର ସମ୍ବନ୍ଧରେ ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ନୁଷ୍ଠିତ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସାଳନ୍ଦୀ କେନାଲ ଡ଼ିଭିଜନର ଏସ୍‌.ଡ଼ି.ଓ. ରାଇକାନ ବେସ୍ରା କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ଦିଗରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.