ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ଗ୍ରାମ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟିରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତ ସ୍ମୃତି ପରିଷଦ ସହଯୋଗରେ ୧୩୬ତମ ରାଜ୍ୟସ୍ତରୀୟ କାନ୍ତକବି ଜୟନ୍ତୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଯୋଗ ଦେଇ କାନ୍ତକବିଙ୍କ ଜନ୍ମସ୍ଥାନ ତାଳପଦା ପଞ୍ଚାୟତକୁ କାନ୍ତକବିଙ୍କ ନାମରେ ନାମିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଏ ନେଇ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ବକ୍ତବ୍ୟରେ କହିଥିବା ବେଳେ କାନ୍ତକବିଙ୍କ ନାମରେ ପ୍ରଚଳିତ ଏକ ଡାକ ଟିକଟକୁ ପ୍ରଦର୍ଶିତ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ କବି ପୂର୍ଣ୍ଣଚନ୍ଦ୍ର ବହଳି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଜିଲାପରିଷଦ ସଭ୍ୟା ରୁଜାତା ପଣ୍ଡା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ସରପଞ୍ଚ ଜୟଶ୍ରୀ ବେହେରା ଯୋଗ ଦେଇ କାନ୍ତକବି ତାଙ୍କର କାଳଜୟୀ ସୃଷ୍ଟି ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ ।
କାନ୍ତ ସ୍ମୃତି ପରିଷଦ ସମ୍ପାଦକ ବାଣିକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମୃତି ପରିଷଦର ସଭାପତି ଆଇନଜୀବୀ ଚିନ୍ତାମଣି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଫୁଲ୍ଲ ପାଢ଼ୀ, ଶରତ ଦାସ, ପ୍ରତାପ ଜେନା, ବିଶ୍ୱରଂଜନ ମହାପାତ୍ର, ସାମ୍ବାଦିକ ରାମନାରାୟଣ ନାୟକ ବକ୍ତବ୍ୟ ଦେଇଥିବା ବେଳେ ସରପଞ୍ଚ ପବିତ୍ର ମଳିକ, ସମିତିିସଭ୍ୟ ଜୟପ୍ରକାଶ ମଲିକ, ସରପଞ୍ଚ ପ୍ରତିନିଧି ବିଷ୍ଣୁ ଜେନା, ପୂର୍ବତନ ସରପଞ୍ଚ ଶଶଧର ସାମଲ, ଦାଶରଥି ମହାପାତ୍ର, ଭୀମଚରଣ ବାରିକ, ପ୍ରମୋଦ ଖଟୁଆ, ରଘୁନାଥ ମଳିକ, ସାହିତ୍ୟିକ କୈଳାସ ବେହେରା, ନିରଂଜନ ବାରିକ, କାଳନ୍ଦି ମଲିକ, ଅଧ୍ୟାପିକା ସୁଜାତା ମହାପାତ୍ର, ଅଂଜଳି ମହାନ୍ତି, ଶିକ୍ଷୟିତ୍ରୀ ରଶ୍ମୀରେଖା ମହାପାତ୍ର, ସୁବାସିନୀ ମହାପାତ୍ର, ବାସନ୍ତୀ ଜେନା, ସୁନିତା ପାଣିଗ୍ରାହୀ ପ୍ରମୁଖଙ୍କ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସ୍ମୃତି ପରିଷଦର ଉପସଭାପତି ରାକେଶ ମହାପାତ୍ର, ସତ୍ୟବ୍ରତ ବାରିକ, ହରମୋହନ ବାରିକ, ବସନ୍ତ ବେହେରା, କାହ୍ନୁ ଚରଣ ମହାନ୍ତି, ସୁବାସ ମହାଳିକ, ଉବେନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ କାନ୍ତକବିଙ୍କ ସମଧିପୀଠରେ ମାଲ୍ୟାର୍ପଣ କରିଥିବା ବେଳେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା ।








