Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ ବାତିଲ ଧାରଣା ସ୍ଥଗିତ, ବୈଷୟିକ କମିଟିର ଅନୁଧ୍ୟାନ; ପୁନଃ ଚିହ୍ନଟ ହେବା ନେଇ...

ଜଗନ୍ନାଥପ୍ରସାଦ ସୈରାତ ବାତିଲ ଧାରଣା ସ୍ଥଗିତ, ବୈଷୟିକ କମିଟିର ଅନୁଧ୍ୟାନ; ପୁନଃ ଚିହ୍ନଟ ହେବା ନେଇ ସୂଚନା

39

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଦାବିରେ ‘ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି’ ପକ୍ଷରୁ ଅନୁଷ୍ଠିତ ଗଣଧାରଣାକୁ ଆଜି ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗତ ଗୁରୁବାର ଠାରୁ ତହସିଲ ଅଫିସ ସମ୍ମୁଖରେ କମିଟି ପକ୍ଷରୁ ହେଉଥିବା ଗଣଧାରଣା ବୁଧବାର ଆଖୁଆପଦା ଆନିକଟ ସମ୍ମୁଖରେ ହୋଇଥିଲା । ସୋମବାର ଜିଲ୍ଲାପାଳଙ୍କ ସହ ସୁରକ୍ଷା କମିଟିର ଆଲୋଚନା ଅନୁଯାୟୀ ବୁଧବାର ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନେତୃତ୍ୱରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିନିଧି ଭାବେ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଭଦ୍ରକ ଭୂତତ୍ତ୍ୱବିତ୍ ଜେ ସୁଷ୍ଲିନାରାନୀ, ବାଲେଶ୍ୱର ଓଏସପିସିବି ଆଞ୍ଚଳିକ ଅଧିକାରୀ ବୈଷୟିକ ସଦସ୍ୟମାନେ ସଂପୃକ୍ତ ସୈରାତରୁ ବାଲି ଉଠାଣ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟର କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ ।

ଏଥିସହ ବୈଷୟିକ କମିଟି ବାଲିପୋଖରୀ ଏସକେପ ପ୍ରତି ସୈରାତରୁ ବାଲି ଉଠାଣର ପ୍ରଭାବ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ବୈଷୟିକ କମିଟି ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ସାମଲ ଧାରଣା ସ୍ଥଳକୁ ଯାଇ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଆଞ୍ଚଳିକ କମିଟି ଆବାହକ ଅକ୍ଷୟ ତ୍ରିପାଠୀ, ସଭାପତି ସୁଧିର ଜେନା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ଆନ୍ଦୋଳନକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରାମାଣିକ ନଥିପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବୈଷୟିକ କମିଟି ଜିଲ୍ଲାପାଳଙ୍କୁ ଅବିଳମ୍ବେ ରିପୋର୍ଟ ପ୍ରଦାନ କରିବ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ଏହାକୁ ଗ୍ରହଣ କରି ଧରଣାରତ କମିଟି ପକ୍ଷରୁ ଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଥିଲା । ଏଥିସହ ଗତ ମଙ୍ଗଳବାର ତହସିଲ ପକ୍ଷରୁ କରାଯାଇଥିବା ସୈରାତ ଅଞ୍ଚଳ ଚିହ୍ନଟ ଆନ୍ଦୋଳନକାରୀ ପ୍ରତିନିଧିଙ୍କ ଉପସ୍ଥିତିରେ ପୁନଃ ଚିହ୍ନଟ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ବେହେରା, ପ୍ରକାଶ ମହାପାତ୍ର, ବସନ୍ତ ତ୍ରିପାଠୀ, ଜିତେନ୍ଦ୍ର କୁମାର ମହାପାତ୍ର, ପ୍ରଭାତ କୁମାର ବାରିକ, ନଟବର ପରିଡା, ଅଭୁମନ୍ୟୁ ଜେନା, ପ୍ରଦୀପ୍ତ କୁମାର ବାରିକ, ମହେଶ୍ୱର ଦାଶ, ନରନାରାୟଣ ପରିଡା, ରଶ୍ମିରଞ୍ଜନ ମହାପାତ୍ର, ଗିରିଶ ସାମଲ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ । ତେବେ ମଙ୍ଗଳବାର ଠାରୁ ଏହି ସୈରାତରୁ ବାଳି ଉଠାଣ ବନ୍ଦ ରହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.