ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୦ ମସିହା ମହାଶିବରାତ୍ରୀରେ ଏକ ଛିନତାଇ ଘଟଣାରେ ସଂପୃକ୍ତ ଥାଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧୂଷୁରୀ ପୁଲିସ ଗିରଫ କରିଛି । ପ୍ରକାଶ ଥାଉକି ଭଦ୍ରକ-ଆରଡି ରାସ୍ତାର ମଙ୍ଗଳପୁର ଛକରେ ତିହିଡି ଅଂଚଳର ଜଣେ ଯୁବକ ଆରଡିରୁ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରୁଥିବା ବେଳେ ତାଙ୍କଠାରୁ ନଗଦ ୫ ହଜାର ଟଙ୍କା ସଂଘବଦ୍ଧ ଭାବେ କେତେକ ଯୁବକ ତାଙ୍କୁ ଅଟକାଇ ଛଡାଇ ନେଇଯାଇଥିଲେ । ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ଖବରପାଇ ଧୂଷୁରୀ ପୁଲିସ ସେଠାରେ ପହଂଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିଲା । ହେଲେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଗ୍ରାମାଂଚଳ ଥାନା ଗଞ୍ଜାମାଳ ଡିହସାହି ଗ୍ରାମର ଅର୍ଜୁନ ନାଥଙ୍କ ପୁଅ ଧର୍ମାନନ୍ଦ ନାଥ ଗତକାଲି ଅସୁରାଳି ଅଂଚଳରେ ବୁଲୁଥିବା କୌଣସି ସୂତ୍ରରୁ ଖବରପାଇ ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମହାପ୍ରସାଦ ନାୟକ ଓ ଏଏସଆଇ ଧ୍ରୁତରାଷ୍ଟ ମଳିକ ସେଠାରେ ପହଂଚି ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ ପ୍ରାୟ ୩ଜଣ ଅଭିଯୁକ୍ତ ମଧ୍ୟ ଫେରାର ଅଛନ୍ତି ।