Home ଜିଲ୍ଲା ପରିକ୍ରମା ଚୋରା କୋଇଲା କାରବାରରେ ସଂପୃକ୍ତ କନେଷ୍ଟବଳଙ୍କ ଦୌରାତ୍ମ୍ୟରେ ପତ୍ନୀ ଏସ୍‌ପିଙ୍କ ସୁରକ୍ଷା ଲୋଡିଲେ, ନ୍ୟାୟ ନମିଳିଲେ...

ଚୋରା କୋଇଲା କାରବାରରେ ସଂପୃକ୍ତ କନେଷ୍ଟବଳଙ୍କ ଦୌରାତ୍ମ୍ୟରେ ପତ୍ନୀ ଏସ୍‌ପିଙ୍କ ସୁରକ୍ଷା ଲୋଡିଲେ, ନ୍ୟାୟ ନମିଳିଲେ ଆତ୍ମାହୁତି ଦେବେ ସପରିବାର

45

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଆକ୍ରୋଶ ରଖି ଘରେ ନଥାଇ ମଧ୍ୟ ଜଣେ ଯୁବକଙ୍କ ନାମରେ ପାଞ୍ଚ ପାଞ୍ଚଟି ମାମଲା ରୁଜୁ କରିଛି ତିହିଡି ପୁଲିସ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନାର ହାଟୁଆରୀ ଗ୍ରାମନିବାସୀ ଭଗବାନ ଦାସଙ୍କ ଠାରେ । ତିହିଡି ଥାନାର କନେଷ୍ଟବଳ ମନୋଜ ପ୍ରଧାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଦୀର୍ଘ ୩ ମାସ ହେଲା ଆତ୍ମଗୋପନ କରିଛନ୍ତି ଭଗବାନ । କିନ୍ତୁ ସଂପୃକ୍ତ କନେଷ୍ଟବଳଙ୍କ ଚାପରେ ୩ ଟି ଥାନାରେ ଭଗବାନଙ୍କ ନାମରେ ରୁଜୁ ହେଲାଣି ୫ଟି ମାମଲା । ଏପରିକି ମାମଲା ସଂଖ୍ୟା ଶହେ ଟପାଇ ଦେବି ବୋଲି ଧମକ ଦେଇଛନ୍ତି ସଂପୃକ୍ତ କନେଷ୍ଟବଳ । ଏହାକୁ ନେଇ ଭଗବାନଙ୍କ ପତ୍ନୀ ଗଜଲକ୍ଷ୍ମୀ ଆଜି ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଏବଂ ଯଦି ତାଙ୍କୁ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ନମିଳେ, ତେବେ ତିହିଡି ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗଜଲକ୍ଷ୍ମୀଙ୍କ ଅଭିଯୋଗ ମୂଳେ ତାଙ୍କ ସ୍ୱାମୀ ଭଗବାନ ଦାସ ଛୋଟିଆ ଗାଡିକରି ବାଲି, ଇଟା ବୋହି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ତିହିଡି ଥାନାର ସଂପୃକ୍ତ କନେଷ୍ଟବଳ ମନୋଜ ପ୍ରଧାନ ପ୍ରତ୍ୟେକ ମାସ ତାଙ୍କ ଠାରୁ ଡରାଇ ଧମକାଇ ବଟି ଆଦାୟ କରିଥାନ୍ତି ।

କିନ୍ତୁ ବ୍ୟବସାୟ ଠିକ୍ ଭାବେ ନଚାଲିବାରୁ ସେ ଆଉ ବଟି ଦେଇପାରିନଥିଲେ ଏବଂ ତାଙ୍କ ଭୟରେ ଅନ୍ୟତ୍ର ଆତ୍ମଗୋପନ କରିଥିଲେ । ଏଥିରେ ପ୍ରତିକ୍ରିୟା ଶୀଳ ହୋଇ ଶ୍ରୀ ପ୍ରଧାନ ଭଗବାନଙ୍କ ନାମରେ ଇତିମଧ୍ୟରେ ୫ଟି ମାମଲା ରୁଜୁ କରିସାରିଲେଣି । ଯେଉଁ ଚୋରା କୋଇଲା ଚାଲାଣ କରାଯାଉଥିବା ଗାଡି ଧରାପଡୁଛି, ସେଥିରେ ତାଙ୍କ ସ୍ୱାମୀଙ୍କ ନାମକୁ ଯୋଡା ଯାଉଥିବାର ସେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଶ୍ରୀ ପ୍ରଧାନ ଧାମରାରୁ ପରିବହନ ହେଉଥିବା ଚୋରା କୋଇଲା କାରବାରରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବିଷୟ ତାଙ୍କ ନାମରେ ଅଭିଯୋଗମାନ ରହିଛି । ସେ ନିଜର ୪ଟି ବେନାମୀ ପିକ୍‌ଅପ୍ ଭ୍ୟାନ୍ ଗାଡିରେ ଚୋରା କୋଇଲା କାରବାର କରିବା ସହ ନିଜେ ନିଜର ଏକ ସୁଇଫ୍ଟ ଡିଜାୟାର କାର ଯୋଗେ ଚୋରା କୋଇଲା କାରବାର କରୁଥିବା ଗାଡିଗୁଡିକୁ ଏସ୍‌କଟ ଦେଇଥାନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏହି ପରିସ୍ଥିତିରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ତାଙ୍କ ପରିବାରକୁ ସୁରକ୍ଷା ଦେବା ସହ କନେଷ୍ଟବଳ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ନିଜ ପରିବାର ସହ ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.